ବଞ୍ଚିଥିବା ଅବସ୍ଥାରେ ପୁଅର ଶୁଦ୍ଧିକ୍ରିୟା କଲା ବାପା । ଗାଁ ଲୋକଙ୍କ ବାସନ୍ଧ ପରେ ପୁଅର ମୃତ୍ୟୁ ପାଇଁ ଭୋଜିଦେଲା ବାପା

266

କନକ ବ୍ୟୁରୋ: ବଂଚି ଥାଉ ଥାଉ ପୁଅର ଶୁୁଦ୍ଧିକ୍ରିୟା କଲେ ପରିବାର । ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଗାୟାଗଣ୍ଡା ବାଘୁଆ ଗାଁର ହରିଜନ ବସ୍ତିରେ ଘଟିଛି ଏଭଳି ଘଟଣା । ରୋଗ ଯନ୍ତ୍ରଣା ଓ ମାନସିକ ଚାପର ଶିକାର ହୋଇ ୨୧ ଦିନ ଏକ ଘରକିଆ ରହିବା କେତେ ଯେ କଷ୍ଟ ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି । ଆଉ ସେଇ ବାସନ୍ଦ ବୋଝକୁ ହାଲୁକା କରିବା ପାଇଁ ଛାତିରେ ପଥର ରଖି ଜୀବନ୍ତ ପୁଅ କାହ୍ନାର ଶୁଦ୍ଧିକ୍ରିୟା କରିଛନ୍ତି ରାମଚନ୍ଦ୍ର ନାୟକଙ୍କ ପରିବାର ।

ଜୀବନ୍ତ ପୁଅକୁ ଶୁଦ୍ଧି ହେଲା ପରିବାର
ଭୋଜି ଖାଇଲେ ଗ୍ରାମବାସୀ

ରାମଚନ୍ଦ୍ରଙ୍କ ବଡପୁଅ କାହ୍ନା ମୁହଁରେ କେଶ ଉଠିବା ସହ ଦେହ ସାରା ବଥ ଉଠିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ କାହ୍ନାର ଅପରେସନ୍ କରାଯାଇଥିଲା । ଏହି ଚିକିତ୍ସା ପରେ ବିଗିଡିଗଲା କାହ୍ନାର ସ୍ୱାସ୍ଥ୍ୟବସ୍ଥା । ଦେହ ସାରା ଘା’ ହେବା ପରେ ସାହି ଲୋକ କାହ୍ନାଙ୍କ ପରିବାରକୁ ଏକ ଘରକିଆ କରିବା ସହ ନିଆଁପାଣି ବାସନ୍ଦ କରିଥିଲେ । ଆଉ ୨୧ ଦିନ ଧରି ବାସନ୍ଦ ହୋଇ ରହିବା ପରେ ଜୀବନ୍ତ ପୁଅକୁ ଶୁଦ୍ଧି ହୋଇ ଗାଁ ଲୋକଙ୍କୁ ଭୋଜି ଦେଇଛନ୍ତି ରାମଚନ୍ଦ୍ର ନାୟକ ।

ଆଧୁନିକ ସମାଜର ଦ୍ୱାହି ଦେଉଥିବା ମଣିଷ ଆଜି ବି ଅନ୍ଧ ବିଶ୍ୱାର ଅନ୍ଧାର ଗଳିରେ ବୁଲୁଛି । ମଣିଷ ଦେହରେ ଘା’ ହୋଇ ସେଥିରୁ ପୋକ ବାହାରିଲେ ସେଥିପାଇଁ ତାକୁ ଜୀବନ୍ତ ଶୁଦ୍ଧି ହେଉଛି । ଗଂଜାମ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି । ଏବେ କାହ୍ନା ସହ ଘଟିଥିବା ଏହି ଘଟଣା ପୂର୍ବରୁ ଭଂଜନଗର ବୁଦୁଳି ଗାଁର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଥିଲା ।