ଗରିବ ହେଲେ ମଲ । ୪ ମାସର ପୁଅକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଥିଲେ ବାପା ।

111

କନକ ବ୍ୟୁରୋ : ପେଟକୁ ଦାନା ନାହିଁ, ମୁଣ୍ଡ ଗୁଂଜିବାକୁ ଚାଳ ନାହିଁ । ୫ଟି ଛୁଆଙ୍କୁ ଧରି ଏକ ଥୁଂଟା ଗଛର ଶାଖାରେ ଆଶ୍ରୟ ନେଇଥିଲେ ମାଲକାନଗିରି ସପ୍ତଧାରା ଗାଁର ସୋମନାଥ ଖିଲ । ଦାନା ଗଣ୍ଡାଏ ଯୋଗାଡ କରିବାରେ ଅସମର୍ଥ ହେବା ପରେ ନିଜ ୪ ମାସର ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିଲେ ସୋମନାଥ । ମାତ୍ର ହଜାରେ ଟଙ୍କାରେ ପୁଅକୁ ବିକ୍ରି କରି କିଛି ଚାଉଳ କିଣିଥିଲେ । ସେଥିରେ ସିନା କିଛି ଦିନର ଭୋକ ମେଂଟିଗଲା, କିନ୍ତୁ ପୁଅକୁ ବ୍ରିକ୍ରି କରିବାର ନିଷ୍ପତି ବିବ୍ରତ କଲା । ଶେଷରେ ଆତ୍ମହତ୍ୟା ଭଳି ଭୂଲ ରାସ୍ତାକୁ ବାଝିନେଲେ ସୋମନାଥ । ସୋମନାଥଙ୍କ ମୃତ୍ୟୁ ପରେ ଆଉ ୪ ଜଣ ପୁଅ-ଝିଅଙ୍କୁ ଆଇମାଆ ପାଖରେ ଛାଡି କୁଆଡେ ଚାଲିଯାଇଛନ୍ତି ସୋମନାଥଙ୍କ ସ୍ତ୍ରୀ କୁନି ଖିଲ ।

ହଜାରେ ଟଙ୍କାରେ ପିଲାକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଦେଲା ବାପା । ଗରିବୀ ଯେତିକି ଦୁଃଖ ଦେଇଥିଲା ତାଠାରୁ ଅଧିକ ମାନସିକ ଯନ୍ତ୍ରଣା ଦେଲା କୁନି ପୁଅକୁ ବିକ୍ରି କରିବାର କଠୋର ନିଷ୍ପତି । ଭୋକ ସହ ଲଢିବାର ଶକ୍ତି ସରିଯିବା ପରେ ମାଆ କ୍ଷୀର ଛାଡି ନଥିବା ୪ ମାସର ପୁଅକୁ ବିକି ଦେଇଥିଲେ ମାଲକାନଗିରି ଖଇରପୁଟ ବ୍ଲକ ସପ୍ତଧାରା ଗାଁର ସୋମନାଥ ଖିଲ । ପୁଅକୁ ସିନା ବିକି ଦେଲେ, ହେଲେ ସେ ଦୁଃଖକୁ ସହିପାରିଲେ ନାହିଁ ସୋମନାଥ । ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ । ତାଙ୍କ ମୃତ୍ୟୁ ପରେ ଆଉ ୪ଟି ପିଲାଙ୍କୁ ନିଜ ମାଆ ପାଖରେ ଛାଡି କୁଆଡେ ଚାଳିଯାଇଛି ସୋମନାଥଙ୍କ ସ୍ତ୍ରୀ କୁନି ଖିଲ ।

୪ ନାତି ନାତୁଣିକୁ ଛାଡି କୁଆଡେ ଚାଲିଗଲା ଝିଅ । ଆଉ ଏବେ ୪ଟି ଛୋଟ ଛୋଟ ଶିଶୁଙ୍କୁ ଧରି କେମିତି ବଂଚିବେ ବୋଲି ଚିନ୍ତାରେ ପଡିଛନ୍ତି ଆଇମାଆ । ଝିଅ-ଜ୍ୱାଇଁ ଚାଲି ଯିବା ପରେ ସପ୍ତଧାରର ଜଙ୍ଗଲରେ ୪ ଶିଶୁଙ୍କୁ ପାଇଁ ଆହାର ଖୋଜୁଛି ଆଇମାଆ । ତେବେ ପେଟର ଭୋକ ମେଂଟାଇବା ପାଇଁ ଆଦିବାସୀ ଦମ୍ପତି ଶିଶୁ ବିକ୍ରି କରିବା ନେଇ ଖବର ଆସିବା ପରେ ସରକାରଙ୍କ ଖାଦ୍ୟ ଯୋଜନା କାହା ପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରୁନଥିବା ବେଳେ ୪ ମାସର ଶିଶୁକୁ କେଉଁଠାରେ ବିକାଯାଇଛି ତାହା ମଧ୍ୟ ଜଣାପଡିନାହିଁ ।