ରାଜଧାନୀରେ ଚାଞ୍ଚଲ୍ୟ.. ଛୁଆକୁ ମାରି ଝୁଲିପଡିଲେ ବାପା, ମାଆ । ପୋଲିସ କହିଲା ଆତ୍ମହତ୍ୟା କରିଛନ୍ତି ପୂରା ପରିବାର

739

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ୧୪ ମାସର କୁନି ଛୁଆକୁ ମାରି ଝୁଲିପଡିଲେ ବାପା, ମାଆ । ଘରୁ ମିଳିଲା ବାପା, ମାଆ ଓ ୧୪ ମାସ ଝିଅର ଝୁଲନ୍ତା ମୃତଦେହ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଭଡା ଘରୁ ମିଳିଛି ତିନି ଜଣଙ୍କ ମୃତଦେହ । ମହାରାଷ୍ଟ୍ର ଭଦିଗ୍ରାମର ଏହି ପରିବାର କିଛି ଦିନ ହେବ ଭୁବନେଶ୍ୱରରେ ରହୁଥିଲେ । ତେବେ ପୂରା ଘଟଣାକ୍ରମ ରହସ୍ୟ ଘେରରେ ରହିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ କହୁଛି, ସମ୍ପତି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ।

ତୁଷାର ରାଜେନ୍ଦ୍ର ଜଗତପ, ସ୍ତ୍ରୀ ନୀଳାତୁଷାର ଜଗତପ ଆଉ ୧୪ ମାସର ଝିଅ ଶିବନ୍ୟା । ତିନି ଜଣଙ୍କୁ ନେଇ ହସ ଖୁସିର ପରିବାର ଥିଲା । ଭଦିଗ୍ରାମ ମହାରାଷ୍ଟ୍ରର ଏହି ପରିବାର କିଛି ଦିନ ହେବ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ରହି ଆସୁଥିଲେ । ହଠାତ ସବୁ କିଛି ଓଲଟ ପାଲଟ ହୋଇଗଲା ।

  • ବନ୍ଦ ଘରୁ ମିଳିଲା ୩ ଜଣଙ୍କ ମୃତଦେହ
  • ରଶି ଲଗାଇ ଝୁଲୁଥିଲେ ପୁରା ପରିବାର

ହଠାତ ଏହି ପରିବାରରେ ଏକ ଏମିତି ଦିନ ଆସିଲା, ଯେତେବେଳେ ପୁରା ପରିବାର ବେକରେ ରଶି ଲଗାଇ ଝୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଲା । ପୁଲିସ ଯେତେ ବେଳେ କବାଟ ଭାଙ୍ଗିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାପା-ମାଆ ସମେତ କୁନି ଛୁଆ ସମସ୍ତେ ରଶିରେ ଝୁଲୁଥିଲେ । କୁନି ଝିଅ ବେକରେ ବି ରଶି ଲାଗିଥିଲା । କାହିଁକି, କଣ ପାଇଁ, ଏମିତି ଅନେକ ପ୍ରଶ୍ନ ଭିତରେ ସେହି ଚିତ୍ର ଯେତିକି ରହସ୍ୟମୟ ସେତିକି ହୃଦୟ ବିଦାରକ ବି ଥିଲା । କଅଁଳ ଶିଶୁକୁ କିଏ କେମିତି ମାରି ପାରିବ? ଆଉ ବନ୍ଦ ଘର ଭିତରୁ କେମିତ ପୁରା ପରିବାରର ଶବ ମିଳିବ? ସନ୍ଦେହ ଘେରରେ ଥିବା ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କଲା କମିସନରେଟ ପୁଲିସ ।

ସଂପତି ଯୋଗୁଁ ଝିଅକୁ ହତ୍ୟା କରି ଝୁଲି ପଡିଲେ ବାପା ମାଆ?

ପୁଲିସର ପ୍ରାଥମିକ ଅନୁସନ୍ଧାନ କହୁଛି, ମୃତ ତୁଷାରଙ୍କ ବାପା ରାଜେନ୍ଦ୍ରଙ୍କ ସହ ସମ୍ପତିର ଉତ୍ତରାଧିକାରୀ ବାବଦରେ ଗଣ୍ଡଗୋଳ ଯୋଗୁଁ ପ୍ରାୟ ମାସେ ତଳୁ ପରିବାରରେ ଝଡ ଉଠିଥିଲା । ତୁଷାର ତାଙ୍କ ପରିବାରର ସମସ୍ତ ସମ୍ପତି, ନେବାକୁ ଚାହୁଁଥିବା ବେଳେ ତାଙ୍କ ବାପା ସମସ୍ତ ସ୍ଥାବର ଅସ୍ଥାବର ସଂପତି ଦ୍ୱିତୀୟ ପତ୍ନୀ ନାଁରେ କରିଦେଇଥିଲେ । ଯାହାକୁ ନେଇ ତୁଷାର ନିଜ ଝିଅକୁ ହତ୍ୟା କରି ପରିବାର ସହିତ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ରାଗ ପରମ ଚଣ୍ଡାଳ । ପୈତୃକ ସମ୍ପତିରୁ ବଞ୍ଚିତ ତୁଷାର ବୁଝିପାରିଲେ ନାହିଁ, ତାଙ୍କ ଝିଅ ଆଉ ପତ୍ନୀ ତାଙ୍କ ଜୀବନର ସବୁଠୁ ବଡ ସମ୍ପତି ଥିଲେ ବୋଲି । ନିଜ ରାଗକୁ କାବୁ କରିନପାରି ତୁଷାର ଯେ ଏତେ ବଡ ଭୁଲ କରିବସିବେ ତାହା କେହି କେବେ କଳନା କରିନଥିବେ ।