୨୧ ରାଜ୍ୟର ୧୦୨ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେଲା ସିଲ୍ । ସାମିଲ ହେଲେ ୬୦ ପ୍ରତିଶତରୁ ଅଧିକ ମତଦାତା । ହେଭିୱେଟ୍ ମଧ୍ୟରେ ଅଛନ୍ତି ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ

82

କନକ ବ୍ୟୁରୋ: ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ବିଭିନ୍ନ ରାଜନୈତିକ ଦଳର ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ୧୬.୬୩ କୋଟି ଭୋଟରଙ୍କ ହାତରେ ଥିବାବେଳେ, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ୬୦ ପ୍ରତିଶତ ମତଦାତା ।

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ

  • ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ଭୋଟ୍ ପଡିଛି
  • ତାମିଲନାଡୁର ସମସ୍ତ ୩୯ ଆସନ ପାଇଁ ମତଦାନ ହୋଇଛି
  • ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ବିହାର ଓ ପଶ୍ଚିମବଙ୍ଗ ଭଳି ବଡ ରାଜ୍ୟରେ ମତଦାନ ହୋଇଛି
  • ଇଭିଏମରେ ସିଲ ହୋଇଛି ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଭୁପେନ୍ଦ୍ର ଯାଦବ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ, ଅର୍ଜୁନରାମ ମେଘୱାଲ ଓ ସର୍ବାନନ୍ଦ ସୋନୱାଲଙ୍କ ଭଲି ମୋଦୀ ସରକାରଙ୍କ ହେଭିୱେଟ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । କଂଗ୍ରେସର ଗୌରବ ଗୋଗୋଇ, ଡିଏମକେର କାନ୍ନିମୋଝୀ, ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଭଳି ବହୁଚର୍ଚ୍ଚିତ ଚେହେରା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଜନମତର ସାମ୍ନା କରିଛନ୍ତି ।

୨୦୧୯ରେ ଏହି ୧୦୨ ଆସନରୁ ୟୁପିଏ ୪୫ଟି ଏବଂ ଏନଡିଏ ୪୧ଟି ଆସନରେ ବିଜୟୀ ହୋଇଥିଲେ । ପରିବର୍ତ୍ତିତ ସମୀକରଣରେ ୨୦୧୯ର ଏହି ଫଳାଫଳ ଦୋହରାଇବା ହୁଏତ ସମ୍ଭବ ହୋଇନପାରେ । ନିର୍ବାଚନ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ପରେ ବାକି ୬ଟି ଆସନ କାହା ଖାତାକୁ ଯିବ ତା ଉପରେ ନଜର ରହିଛି । ଏଥର ବିଜେପି ୪୦୦ ପାରାର ନାରା ଦେଇଥିବାରୁ ଦକ୍ଷିଣ ଭାରତରେ ଅଧିକ ସଫଳତା ପାଇଁ ଆଶାବାନ୍ଧି ବସିଛି । ହେଲେ ଇଣ୍ଡିଆ ମେଣ୍ଟ ମଧ୍ୟ ବିଜେପିକୁ କଡା ଟକ୍କର ଦେଉଛି । ସୂଚନାଯୋଗ୍ୟ ଯେ, ମୋଟ୍ ୫୪୩ ଲୋକସଭା ଆସନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ପରେ ଜୁନ୍ ୪ ତାରିଖରେ ମତଗଣନା ହୋଇ ଫଳାଫଳ ପ୍ରକାଶ ପାଇବ ।