କନକ ବ୍ୟୁରୋ: ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ପଶ୍ଚିମ ୟୁପିର ୫୮ଟି ଆସନରେ ଭୋଟ୍ ପଡିଛି । ତେବେ ଏହି ଅଞ୍ଚଳର ଅଧିକାଂଶ ଚାଷୀ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସିଥିଲେ । ଯାହାର ଫାଇଦା ନେବ ବୋଲି ସମାଜବାଦୀ ପାର୍ଟି ଲକ୍ଷ୍ୟ ରଖଛି । ଅନ୍ୟପଟେ ୨୦୧୭ରେ ବିଜେପି ଏହିଠାରୁ ୫୩ଟି ଆସନରେ ବିଜୟୀ ହୋଇଥିଲା । ଏଥର ମଧ୍ୟ ପୂର୍ବ ଫଳାଫଳ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ବିଜେପି ।

Advertisment
  • ପଶ୍ଚିମ ୟୁୁପିରେ ପଡିଲା ଭୋଟ୍
  • ୫୮ଟି ଆସନ ପାଇଁ ମଇଦାନରେ ୬୨୩ ପ୍ରାର୍ଥୀ

ୟୁପିରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ପଡିଛି । ପଶ୍ଚିମ ୟୁପିର ୧୧ ଜିଲ୍ଲାର ୫୮ଟି ଆସନ ପାଇଁ ୬୨୩ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ପଡିଛି । କୋଭିଡ କଟକଣା ଭିତରେ ୨୫ ହଜାର ୮୪୯ଟି ମତଦାନ କେନ୍ଦ୍ରରେ ଲୋକେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଚାଷୀ ନେତା ରାକେଶ ଟିକାୟତ ମଧ୍ୟ ନିଜ ପରିବାର ସହିତ ଯାଇ ମତଦାନ କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଇଭିଏମ ଖରାପ ହେବାର ଖବର ଆସିଥିଲା ପରେ ସ୍ୱାଭାବିକ ହୋଇଥିଲା । ଏଥିସହିତ ନକଲି ଭୋଟର ଧରାପଡି ଗିରଫ ହୋଇଛନ୍ତି । ଆଉ ଗରିବ ଭୋଟରଙ୍କୁ ଡରାଇ ଧମକାଇ ଭୋଟ୍ ନଦେବାକୁ ଶାସକ ଦଳ ଚାପ ପକାଉଛି ବୋଲି ବିରୋଧୀ ସମାଜବାଦୀ ପାର୍ଟି ଅଭିଯୋଗ କରିଛି ।

  • ଯୋଗୀଙ୍କ ପାଇଁ ଅଗ୍ନିପରୀକ୍ଷା
  • ଚ୍ୟାଲେଞ୍ଜ ଦେଉଛନ୍ତି ଅଖିଳେଶ-ଜୟନ୍ତ ଯୋଡି !

ୟୁପିରେ ଏଥର ଭୋଟିଂ ପ୍ରକ୍ରିୟା ଉତ୍ସାହ ରହିଛି । ଯେଉଁଭଳି ମତଦାନ ହେଉଛି ବହୁ ପୂର୍ବରୁ ଫଳାଫଳ ଆସିଯିବ ବୋଲି ପୂର୍ବତନ ମ୍ରୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନ ବେଳେ ଏହି ପଶ୍ଚିମ ୟୁପିରେ ବିଜେପି ବାଜିମାତ କରିଥିଲା । ମୋଟ୍ ୫୮ ବିଧାନସଭା ଆସନରୁ ୫୩ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ୬୪ ପ୍ରତିଶତ ମତଦାନ ହୋଇଥିଲା । ଯଦିଓ ବିଜେପି ଏହି ଆସନରୁ ଭୋଟ୍ ପାଇବ ବୋଲି ଆଶା ରଖିଛି କିନ୍ତୁ କୃଷି ଆଇନ ପାଇଁ ଉପୁଜିଥିବା ବିବାଦ ପାଇଁ ଏବେ ଦୋଛକିରେ ବିଜେପି ରହିଛି । ୟୁପିରେ ସରକାର ଗଢିବାକୁ ହେଲେ ପଶ୍ଚିମ ୟୁପି ଗୋଟିଏ ବଡ ଭୂମିକା ନିର୍ବାହ କରେ । ତେଣୁ ଏପରି ସ୍ଥିତିରେ ଆଜିର ମତଦାନ ସୂଚାଇବ ପରବର୍ତ୍ତୀ ୬ଟି ପର୍ଯ୍ୟାୟରେ କିପରି ରହିବ ମତଦାନ ।