୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।

65

କନକ ବ୍ୟୁରୋ : ୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ନୂଆବର୍ଷର ପ୍ରଥମ ଦିନରେ ମଧ୍ୟ ନିଜ ଜିଦରେ ଅଟଳ ଚାଷୀ ଦିଲ୍ଲୀର ପ୍ରବେଶ ପଥରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ଚାଷୀ ସଂଗଠନର ୬ଟି ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ । ବୁଧବାର ଦିନ ଅନୁଷ୍ଠିତ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ ଦୁଇଟି ପ୍ରସ୍ତାବ ବିଜୁଳି ବିଲ ଓ ନଡା ଜାଳିବା ପ୍ରସଙ୍ଗରେ ସହମତି ହୋଇଛି ।

ସରକାର ଓ ଚାଷୀଙ୍କ ମଧ୍ୟରେ ଦୁଇଟି ପ୍ରସଙ୍ଗରେ ସହମତି ହୋଇଥିଲେ ମଧ୍ୟ ସମ୍ପର୍ଣ୍ଣ ଭାବେ ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ କହିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଲିଖିତ ପ୍ରତିଶ୍ରୁତି ଓ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ସଂଗଠନ । ସେପଟେ ଜାନୁୟାରୀ ୪ତାରିଖରେ ଚାଷୀ ଓ ସରକାରଙ୍କ ମଧ୍ୟରେ ହେବାକୁ ଥିବା ପରବର୍ତି ଆଲୋଚନା ଉପରେ ରହିଛି ସମସ୍ତଙ୍କ ନଜର ।

ରାଜଧାନୀର ଶୀତ କାକରରେ ଅଡି ବସିଛନ୍ତି ଚାଷୀ । ୧.୧ଡିଗ୍ରୀ ତାପମାତ୍ରାରେ ବି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ସେପଟେ ସିଂଘୁ, ଗାଜିପୁର ଓ ଟିକରି ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ମାନେ ରାଜଧାନୀ ଦିଲ୍ଲୀରେ ୩୭ଦିନ ହେବ ଆନ୍ଦୋଳନ କରୁଛନ୍ତି ।