୨୬ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସବୁ ସୀମାରେ ଜଗିବସିଛନ୍ତି ପ୍ରଦର୍ଶନକାରୀ । ଦିନକୁ ଉପବାସରେ ରହୁଛନ୍ତି ୧୧ଜଣ ଚାଷୀ ନେତା ।

87

କନକ ବ୍ୟୁରୋ : ଦିଲ୍ଲୀରେ ୨୬ଦିନ ହେଲା ଜାରି ରହିଛି କୃଷକ ଆନ୍ଦୋଳନ । ଚାଷୀ ମାନେ ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ ଚାଷୀଙ୍କ ସହ ଆଲୋଚନା ପାଇଁ ପୁଣି ପ୍ରସ୍ତୁତ ଥିବା କହିଛନ୍ତି ସରକାର । କୃଷି ମନ୍ତ୍ରାଳୟ ଚାଷୀ ସଂଗଠନକୁ ଏକ ଚିଠି ଲେଖି ପୁର୍ନବାର କୃଷି ଆଇନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ବର୍ତମାନ ସୁଦ୍ଧା ସରକାର ଓ ଚାଷୀଙ୍କ ମଧ୍ୟର ୬ଥର ବୈଠକ ସରିଛି । ସେପଟେ ଆନ୍ଦୋଳନର ନୂଆ ଫଣ୍ଡା ଆପଣେଇଛି ଚାଷୀ ସଂଙ୍ଗଠନ । ପ୍ରତେକ ଦିନ ୧୧ଜଣ ଲେଖାଏଁ କୃଷକ ପାଳି କରି ଆମରଣ ଅନଶନ କରିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହିଭଳି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ଦିଲ୍ଲୀରେ କୃଷକ ଆନ୍ଦୋଳନ ୨୬ ଦିନରେ ପହଂଚିଛି । ଶୀତ କାକରରେ ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହ ହୋଇଥିବା ଚାଷୀଙ୍କ ଆନ୍ଦୋଳନ ବିଫଳ ହୋଇଛି । ଏହାରି ଭିତରେ ହାଡଭଙ୍ଗା ଶୀତକୁ ଖାତିର ନକରି ନୂଆ କୃଷି ଆଇନ ବିରୋଧରେ ଅଡି ବସିଛନ୍ତି ଚାଷୀ ।

ସବୁଦିନ ପରି ସୋମବାର ମଧ୍ୟ ୧୧ଜଣ ଚାଷୀ ନେତା ଉପବାସରେ ରହି ପ୍ରତିବାଦ କରିଛନ୍ତି । ଧାରଣାସ୍ଥଳରେ ୨୪ ଘଂଟିଆ ଉପବାସରେ ରହୁଛନ୍ତି ଚାଷୀ । ଡିସେମ୍ବର ୨୩ରେ ଚାଷୀ ଦିବସ ଅବସରରେ ଦିନକୁ ଥରେ ମାତ୍ର ଭୋଜନ କରିବାକୁ ସମସ୍ତ ଚାଷୀଙ୍କୁ ଅପିଲ କରାଯାଇଛି । ଏଥିସହ ଡିସେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ସମୟରେ ଚାଷୀମାନେ ଥାଳି ବଜାଇ ପ୍ରତିବାଦ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଚାଷୀ ନେତା ରାକେଶ ଟିକାୟତ୍ କହିଛନ୍ତି ଯେଉଁମାନେ ନୂତନ କୃଷି ଆଇନ ସମର୍ଥନରେ ଅଛନ୍ତି, ସେମନେ ତାଙ୍କୁ ସାକ୍ଷାତ କରନ୍ତୁ । ଯେଉଁ ଫାଇଦା ଚାଷୀଙ୍କୁ ଦେଖାଗଲା ନାହିଁ, ସେମାନେ କିପରି ଦେଖିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଚାଷୀଙ୍କ ପାଖରେ ପହଁଚି ଆଲୋଚନା କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଦୁ । ଏଥିସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସିଦ୍ଦୁ କହିଛନ୍ତି ଏହି ନୂଆ କୃଷି ଆଇନ ଚାଷୀଙ୍କ ଫାଇଦା ପାଇଁ ନୁହେଁ ଶିଳ୍ପପତିଙ୍କ ଖୁସି ଓ ଲାଭ ପାଇଁ । ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପଂଜାବ ପଟିଆଲାର ୧୦ ଜଣ ବୃଦ୍ଧ କୃଷକ ୨୬୫ କିଲୋମିଟର ସାଇକେଲରେ ଆସି କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସେପଟେ ନୂଆ କୃଷି ଆଇକୁ ସମର୍ଥନ କରି ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି । ଦିଲ୍ଲୀ ବିଜେପି ସାଂସଦ ରମେଶ ବିଧୁରୀ କୃଷି ଆଇନ ସପକ୍ଷରେ ପଦଯାତ୍ରା କରିଛନ୍ତି । ସେହିପରି ଯୁବ କଂଗ୍ରେସ ପକ୍ଷରୁ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀରେ ଜୋରଦାର ପ୍ରତିବାଦ କରାଯାଇଛି ।