୨୯ରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଆନ୍ଦୋଳନକାରୀ ଚାଷୀ । ସର୍ତ ମାନିଲେ ଯାଇ ହେବ ଆଲୋଚନା । ସେପଟେ ୩୧ ଦିନରେ ଜାରି ରହିଛି ଆନ୍ଦୋଳନ ।

67

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ସେମାନେ ଏଥିପାଇର୍ କିଛି ସର୍ତ ରଖିଛନ୍ତି । ସରକାର ଏହି ସର୍ତ ମାନିଲେ ହିଁ ଆଲୋଚନା ହେବ ବୋଲି ଚାଷୀ ମାନେ ସ୍ପଷ୍ଟ କରିଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଆଲୋଚନା ପାଇଁ ଏହି ପ୍ରସ୍ତାବ ଦିଆଯାଇଛି । ଦିଲ୍ଲୀରେ ୩୧ ଦିନ ହେଲା ଚାଷୀ ଆନ୍ଦୋଳନ ଜାରି ରହିଛି । ପ୍ରାୟ ୪୦ଟି ଚାଷୀ ସଂଗଠନ ଏଥିରେ ସାମିଲ ହୋଇଛନ୍ତି ।

ବିଶେଷ କରି ପଂଜାବ ଓ ହରିୟାଣାର ଚାଷୀମାନେ ସାମିଲ ହୋଇଛନ୍ତି । ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏହି ଆନ୍ଦୋଳନ କରୁଛନ୍ତି । ଚାଷୀମାନଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୟାସ କରାଯାଉଛି । ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ୬ ରାଉଣ୍ଡ ଆଲୋଚନା ହୋଇ ସାରିଛି । ହେଲେ ଏଯାଏଁ ଏଥିରୁ କୌଣସି ସୁଫଳ ବାହାରି ପାରି ନାହିଁ ।

ଚାଷୀମାନେ ନୂଆ ଆଇନ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଆସୁଛନ୍ତି । ଚଳିତ ସପ୍ତାହରେ ଚାଷୀମାନଙ୍କୁ ଆଲୋଚନା ଟେବୁଲକୁ ଫେରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚିଠି ଲେଖିଥିଲେ । ଏହାପରେ ଚାଷୀ ସଂଗଠନଙ୍କ ମଧ୍ୟରେ ଆଲୋଚନା କରାଯାଇ ୨୯ରେ କଥାବାର୍ତା ପାଇଁ ସର୍ତମୂଳକ ପ୍ରସ୍ତାବ ଦେଇଛନ୍ତି ।