ଚାଷୀ ଆନ୍ଦୋଳନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି : ଚାଷୀ ସୀମା ବନ୍ଦ କରିବା ଉଚିତ୍ କି ଅନୁଚିତ୍ ହେବ ଶୁଣାଣି

210

କନକ ବ୍ୟୁରୋ : କୃଷକ ଆଇନକୁ ନେଇ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି । କୃଷକ ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ ସରକାର ଏହା ହେବ ନାହିଁ ବୋଲି ଜିଦରେ ଅଟଳ ରହିଛିନ୍ତି । ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ ।

ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ହେବ । ପ୍ରଧାନବିଚାରପତିଙ୍କ ସମେତ ୩ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ୩ଟି ମାମଲା ଦାୟର ହୋଇଛି । ଗୋଟିଏ ଆବେଦନରେ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ, ଏଭଳି ଆନ୍ଦୋଳନ ଦ୍ୱାରା କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଜୁରୀର କାଳୀନ ସେବା ବି ବାଧାପ୍ରାପ୍ତ ହେଉଛି । ଅନ୍ୟ ଏକ ଆବେଦନରେ କୃଷକଙ୍କ ଦାବି ଉପରେ ବିଚାର କରିବାକୁ କୋର୍ଟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।

ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ନୂଆ ଆଇନକୁ ନେଇ ଚାଷୀଙ୍କୁ ବିରୋଧୀ ଅଧିକ ଭ୍ରମିତ କରୁଛନ୍ତି । ଆଉ ଏହା ପଛରେ ରହିଛି ବଡ ଷଡଯନ୍ତ୍ର । ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ପରେ ଅଧିକ ତାତିଛନ୍ତି ଆନ୍ଦୋଳନରତ ଚାଷୀ ସଂଗଠନ । ସ୍ପଷ୍ଟ ଭାବେ ଚାଷୀ ନେତାଏଁ କହିଛନ୍ତି ଯେଉଁଚାଷୀମାନେ ମୋଦିଙ୍କ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ଆନ୍ଦୋଳନସ୍ଥଳ ଛାଡି ଯାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀ ଛାଡିବେନି ଆନ୍ଦୋଳନ ସ୍ଥଳ । ଏହା ସହିତ ଚାଷୀ ନେତାଏଁ କହିଛନ୍ତି , ସେମାନେ କେବେ ରାଜପଥ ଅବରୋଧ କରିବାକୁ ଚାହଁନ୍ତି ନାହିଁ । ସେମାନଙ୍କୁ ରାମଲୀଳା ମୈଦାନ ଛାଡି ଦିଆଯାଉ, ସେମାନେ ରାସ୍ତା ଉପରୁ ହଟିଯିବେ । ଆଉ ଯଦି ଆନ୍ଦୋଳନକାରୀଙ୍କୁ ହଟାଇବାକୁ ବଳ ପ୍ରୟୋଗ ହୁଏ, ଏହାର ପରିଣାମ କେନ୍ଦ୍ର ସରକାର ଭୋଗିବେ ।