କନକ ବ୍ୟୁରୋ : ନିଜେ ବିଛାଇଥିବା ତାରରେ ଲାଗି ଚାଲିଗଲା କୃଷକଙ୍କ ଜୀବନ । ସାମାନ୍ୟ ଅସାବଧାନତା ଯୋଗୁଁ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ସୁମୁଧି ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଗାଁର ସୁରେଶ ଭୋଇ କୁସଭଦ୍ରା ନଦୀ ପଠାରେ ଘର କରିବା ସହ କଦଳୀ ଚାଷ କରିଥିଲେ । କିନ୍ତୁ ତାଙ୍କ ବାଡ଼ିରୁ କେହି ଦୁବୃତ୍ତ କଦଳୀ ଚୋରି କରିନେଉଥିଲା । ଯାହା ଫଳରେ ଫସଲ ସୁରକ୍ଷା ପାଇଁ ବାଡ଼ି ଚାରିପଟେ ଜିଆଇ ତାର ବାନ୍ଧି ସେଥିରେ ବିଦ୍ୟୁତ ସଂଯୋଗ କରିଥିଲେ ।

Advertisment

କିନ୍ତୁ ଆଜି ଭୋରୁ ନଦୀ ପଠାକୁ ଶୌଚ ପାଇଁ ଯାଇଥିବା ବେଳେ ନିଜେ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ତାଙ୍କର ଜୀବନ ଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଦାଗ ମଧ୍ୟ ରହିଛି । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ସୁରେଶଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ତାଙ୍କର ପତ୍ନୀଙ୍କ ସହ ଦୁଇ ଜଣ ସନ୍ତାନ ଅଛନ୍ତି । ତେଣୁ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।