କନକ ବ୍ୟୁରୋ: ପାଉଁଶ ଗଦାରୁ ସ୍ୱପ୍ନ ଖୋଜୁଛି ଦିନ ଦରିଦ୍ର ଆଦିବାସୀ ଚଷା ପୁଅ । ଧାନ କାଟିବା ପୂର୍ବରୁ ବିଲରେ ନିଆଁ ଲାଗିଗଲା । ଏକର ଏକର ଚାଷ ଜମିରେ ନିଆଁର ଆଁରେ ଲୀନ ହୋଇଗଲା । ଜଳନ୍ତା ଧାନ ଜମି ଦେଖି ଚିନ୍ତାରେ ଚାଷୀ । ଶୀତଳ ପାଉଁଶ ମୁଠାକୁ ଧରି ପରିଶ୍ରମର ମୂଲ୍ୟ ଖୋଜୁଛି ଚାଷୀ । ଏଭଳି ଅଭାବନୀୟ ଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୁଗ ପଂଚାୟତ ବାଣିଦା ଗାଁରେ ।

Advertisment

ସୁନାର ଫସଲରେ ଲାଗିଗଲା ନିଆଁ । ଜଳିପଡ଼ି ପାଉଁଶ ହୋଇଗଲା ଅମଳ ପାଇଁ ପାଚିଥିବା ଧାନ । ଏକର ଏକର ଧାନ ଏବେ ନିଆଁର ଆଁରେ ପାଉଁଶ ହୋଇଯାଇଛି । ଏବେ ପାଉଁଶ ଭିତରୁ ପୋଡ଼ା ଧାନକୁ ଧରି ଚିନ୍ତାରେ ପଡ଼ିଛି ଚାଷୀ ।  ବାଲେଶ୍ୱର ଜିଲ୍ଲ୍ା ଜଳେଶ୍ୱର ତହସିଲ ଅଧୀନ ସୁଗ ପଂଚାୟତ ବାଣିଦା ଗାଁରେ ଦିନ କେଇଟା ଯାଇଥିଲେ ସୁନାର ଫସଲକୁ ତୋଳି ନେଇଥାନ୍ତା ଚଷା ପୁଅ । ଏଥିରୁ ବର୍ଷକର ଖାଇବାକୁ ସାଇତି ରଖିଥାନ୍ତା ଚାଷୀ । ହେଲେ ସେସବୁ ଯେମିତି ପାଣି ଫୋଟକା ପରି ଉଭେଇ ଗଲା । ଧାନ କାଟିବା ପୂର୍ବରୁ ନିଆଁର ପ୍ରକୋପ ସବୁ କିଛି ଛାରଖାର କରିଦେଇଛି ।

ଜଣେ ଚାଷୀ ନିଜ ଜମିରେ ଧାନ କାଟିବା ପରେ ବଳକା କୁଟାକୁ ନିଆଁ ଲଗାଇ ଦେଇଥିଲା । ହେଲେ ପବନର ବେଗ ଏତେ ଅଧିକ ଥିଲା ଯେ ନିଆଁ ପୁରା ଗହୀର ସାରା ମାଡ଼ି ଯାଇଥିଲା । ଦେଖୁ ଦେଖୁ ସବୁ କିଛି ଜଳିପୋଡ଼ି ଛାରଖାର ହୋଇଗଲା । ଏହି ଅଗ୍ନିକାଣ୍ଡରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ ଟୁନା ସୋରେନ । ସୁନାର ଫସଲ ଜଳିପୋଡ଼ି ଯିବା ପରେ ଚିନ୍ତାରେ ନିରୀହ ଆଦିବାସୀ ଚାଷୀ ପରିବାର ।

ଅନେକ କଠିନ ପରିଶ୍ରମ କରିବା ସହ ଝାଳ ବୁହାଇ ଜମି ଭାଗ ଆଣି ଚାଷ କରିଥିଲେ ଟୁନା ସୋରେନ । ଅଗ୍ନିକାଣ୍ଡ ସବୁ କିଛି ଛାରଖାର କରିଦେଇଛି । ରୁଣ କିଭଳି ସୁଝିବେ ଚିନ୍ତାରେ ଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ଟୁନା ସୋରେନ୍ ।