କନକ ବ୍ୟୁରୋ : ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ । ପ୍ରଥମେ ଲୋକସଭା ପରେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି । ଏବେ ଏହା ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯିବ । ପୂର୍ବ ଘୋଷଣା ଅନୁଯାୟୀ ଏହାକୁ ଲୋକସଭାରେ ଆଗତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ କୃଷି ଆଇନ ପ୍ରତ୍ୟାହାର ବିଲ ଶୀତ ଅଧିବେଶନର ଆଣିବାକୁ ଘୋଷଣା କରିଥିଲେ ମୋଦୀ ସରକାର । ଏହାକୁ ଅଧ୍ୟାଦେଶ ଆକାରରେ ଅଣାଯାଇଥିବାବେଳେ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଦଳ ।
କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହା ଉପରେ ଗୃହରେ ଆଲୋଚନା ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ । ତଥାପି ବିରୋଧୀଙ୍କ ପାଟିତୁଣ୍ଡ ଭିତରେ ବାଚନିକ ଭୋଟରେ ବିଲ ଲୋକସଭାରେ ପାସ ହୋଇଛି । ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ରଖିଥିଲେ । ଏହାର କିଛି ସମୟ ପରେ ଉପସଭାପତି ଭେଙ୍କୟା ନାୟଡୁ ମଧ୍ୟ ରାଜ୍ୟସଭାକୁ ଘଣ୍ଟାକ ପାଇଁ ମୁଲତବୀ ରଖିଥିଲେ । କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ବିଲ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀ । ଏହା ପରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ କରାଯାଇଥିଲା ।
୧୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇ ବିରୋଧୀଙ୍କ ହଟ୍ଟଗୋଳ ଭିତରେ କୃଷି ଆଇନ ପ୍ରତ୍ୟାହାର ବିଲକୁ ଲୋକସଭାରେ ପାରିତ କରାଇ ନେଇଛନ୍ତି ସରକାର । ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ପରେ କଡା ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ୩ଟି କଳା ଆଇନ ପ୍ରତ୍ୟାହାର ହେବା ଚାଷୀଙ୍କ ବିଜୟ ବୋଲି କହିଛନ୍ତି ରାହୁଲ । ସେହିପରି ବିଲ୍ ପ୍ରତ୍ୟାହାର ନେଇ କାହିଁକି ଆଲୋଚନା କରିବାକୁ ସରକାର ଡରୁଛନ୍ତି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।
ସଂସଦରେ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ଆନ୍ଦୋଳନ ବେଳେ ଜୀବନ ହରାଇଥିବା ୭୫୦ଚାଷୀଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ଟିକାୟତ । ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଥିବା ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।