ପ୍ରତିଶୋଧର ନିଆଁରେ ଉଜୁଡ଼ିଗଲା ପରିବାର । ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଲା ଫିଲ୍ମ ଷ୍ଟାଇଲରେ ଟ୍ରକ ମଡାଇ ହତ୍ୟାକାଣ୍ଡ ।

259

କନକ ବ୍ୟୁରୋ: କ୍ଷଣିକ ରାଗ ପାଇଁ ପ୍ରତିଶୋଧ ପରାୟଣ ହୋଇ ମାଆ, ଝିଅଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିନକ ପୂର୍ବରୁ ହସଖୁସିରେ ଚାଲିଥିବା ଜୀବନରେ ହଠାତ ସବୁକିଛି ଓଲଟ ପାଲଟ ହୋଇଯିବ ଏହା ଥିଲା କଳ୍ପନାର ବାହାରେ । ସୋନାଲି ଥିଲେ ଭାରି ସାହାସୀ । ଅନ୍ୟାୟ ହେଉଥଇବା ଦେଖିଲେ ମୁହଁ ଫିଟାଉଥିବା ସୋନାଲିଙ୍କୁ ଯେ ଏଥିପାଇଁ ଜୀବନ ହରିବାକୁ ପଡ଼ିବ, ଏହାକୁ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଭଉଣୀ ଏବଂ ଅଭିଯୁକ୍ତକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି ।

୨ ଅଗଷ୍ଟ ୨୦୨୨ । ମାତ୍ର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜମ୍ବୁ ଅଞ୍ଚଳରେ ପରିବାର ସହ ଖୁସି ମନାଉଥିଲେ ମାଆ ଶ୍ରୀତିକା, ଝିଅ ସୋନାଲି ଚକ୍ରବର୍ତ୍ତୀ । ସାନଝିଅ ମୋନାଲିସା ମଧ୍ୟ ସେମାନଙ୍କ ସହ ଥିଲେ । କେହି କେବେ ଭାବିନଥିଲେ ମାତ୍ର ୨୪ ଘଣ୍ଟା ପରେ ସେମାନଙ୍କ ଜୀବନରେ ଛାଇଯିବ କଳାବାଦଲ । ଉଜୁଡ଼ି ଯିବ ପରିବାର, ମୁହଁରୁ ହସ ଲିଭିଯିବ, ଆଖିରୁ କେବଳ ଲୁହ ଝରିବ ।

  • ୪ ଅଗଷ୍ଟ, ବୁଧବାର
  • ସଂଧ୍ୟା ପ୍ରାୟ ସାଢ଼େ ୫ଟା

ପିଛା କରି ବାଟ ସାରା ହଇରାଣ କରୁଥିବା ଟ୍ରକ ଡ୍ରାଇଭରକୁ ପାନେ ଦେବା ପାଇଁ ଶ୍ରୀତିକା ଓ ସୋନାଲି ଦେଖାଇଥିଲେ ସାହସ । ହେଲେ ସେମାନେ ଜାଣିନଥିଲେ ଯେ ତାଙ୍କୁ ପିଛା କରୁଥିବା ଡ୍ରାଇଭର ମଣିଷ ନୁହେଁ, ଥିଲା ଜଣେ ଜହ୍ଲାଦ । ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକ ନିକଟରେ ଟ୍ରକ ମଡାଇ ମାଆ-ଝିଅକୁ ମାରି ପ୍ରତିଶୋଧ ପୂରଣ କରିଥିଲା ଅଭିଯୁକ୍ତ ।

ଅଶ୍ଳୀଳ ଇଙ୍ଗିତର ପ୍ରତିବାଦ ଯୋଗୁଁ ଏପରି ହତ୍ୟାକାଣ୍ଡ ହୋଇପାରେ ବିଶ୍ୱାସ କରିପାରୁନାହାନ୍ତି ମୋନାଲିସା । ମାଆ ଓ ଭଉଣୀକୁ ହରାଇ ସେ ଏକୁଟିଆ ହୋଇଯାଇଛନ୍ତି । କହିଛନ୍ତି, ଭଉଣୀ ସୋନାଲି ଥିଲେ ଭାରି ସାହାସୀ । ଅନ୍ୟାୟ ସହି ପାରୁନଥିଲେ । କିନ୍ତୁ ଏଥିପାଇଁ ଯେ ତାଙ୍କୁ ଜୀବନ ହରାଇବାକୁ ପଡ଼ିବ, ସେ ତାକୁ ଗ୍ରହଣ କରିପାରୁନାହାନ୍ତି । ଅଭିଯୁକ୍ତକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି ମୋନାଲିସା ।

ମୋନାଲିସା ମଧ୍ୟ ମାଆ ଓ ଭଉଣୀ ସୋନାଲିଙ୍କ ସହ ମାମୁଁ ଘରକୁ ଯାଇଥିଲେ । ସ୍କୁଟିରେ ତିନି ଜଣ ହୋଇଯିବାରୁ ମାଆ ତାଙ୍କୁ ପରେ ଆସିବାକୁ କହିଥିଲେ । ଦୁର୍ଘଟଣାର ଖବର ପାଇବା ପରେ ଘରକୁ ଆସିଛନ୍ତି, ହେଲେ ମୋନାଲିସାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି । ବାପା ଅଶୋକ ଚକ୍ରବର୍ତ୍ତୀ, ମାଆ ଓ ଭଉଣୀଙ୍କ ସହ ହସଖୁସିରେ ଦିନ କାଟୁଥିଲେ ମୋନାଲିସା । ବାପା ରୋଗଗ୍ରସ୍ତ, ସେ କିଛି କାମ କରିପାରନ୍ତିନି । ମାଆ ବ୍ଳକରେ ଜୀବିକା ମିସନରେ ସ୍ୱଳ୍ପ ଦରମାରେ କାମ କରୁଥିଲେ, ଭଉଣୀ ପିଜି କରୁଥିବା ବେଳେ ଡୁବୁରି ୟୁନିୟନ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାମ ମଧ୍ୟ କରୁଥିଲେ । ସେମାନଙ୍କ ରୋଜଗାରରେ ଚଳୁଥିଲା ଘର, ଆଉ ମୋନାଲିସାଙ୍କ ପାଠପଢ଼ା । ଏବେ ଭାଙ୍ଗିପଡ଼ିଛି ପୂରା ପରିବାର ।

ଏପଟେ ଅଭିଯୁକ୍ତ ଡ୍ରାଇଭର ଅମର ସ୍ୱାଇଁକୁ କୋର୍ଟ ଚାଲଣ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏବେ ବି ତା ମନରେ ନାହିଁ ଅନୁଶୋଚନା । ସଫେଇରେ କହିଛି, ଗାଡ଼ି ବ୍ରେକଫେଲ୍ ହୋଇଥିବାରୁ ଦୁର୍ଘଟଣା ହୋଇଛି । ହେଲେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କିପରି ଜାଣିଶୁଣି ମନ୍ଥର ଗତିରେ ଯାଉଥିବା ସ୍କୁଟି ଉପରେ ଚଢ଼ି ଯାଇଥିଲା ଟ୍ରକ । କ୍ଷଣିକ ରାଗ, ପ୍ରତିଶୋଧର ନିଆଁ ଗୋଟିଏ ପରିବାକୁ ଛାରଖାର କରିଦେଇଛି, ଦୁଇଟି ଅମୂଲ୍ୟ ଜୀବନ ଅକାଳରେ ଝରିପଡ଼଼ିଛି । ଫିଲ୍ମ ଷ୍ଟାଇଲର ଏହି ହତ୍ୟାକା÷ଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଦେଇଛି ।