କନକ ବ୍ୟୁରୋ: ସାମାଜିକ ବାସନ୍ଦ ହୋଇ ନଥିଲେ ବି ପରିସ୍ଥିତି କରିଛି ବାଧ୍ୟ । ନିଅାଁ, ପାଣି ବନ୍ଦ ହୋଇ ନଥିଲେ ବି ଗାଁ ରେ ମିଶି ଚଳିବା ମନା । ଏବେ ପରିବାର ପାଇଁ   ନୁଆ ଠିକଣା ହୋଇଛି ଗାଁ ମୁଣ୍ଡ ମଶାଣି ପାଖରେ ଥିବା ଅ ବ୍ୟବହୃତ ପରିତ୍ୟକ୍ତ ଭଙ୍ଗା ଖପର ଘର । ସେଇଠି ସ୍ୱାମୀ , ସ୍ତ୍ରୀ ଆଉ ବୁଢୀ ମା । କର୍ମକୁ ଆଦରି ପଡି ରହିଛନ୍ତି , କାହିଁକିନା କ୍ୟାନସର ଭଳି ଏକ ମାରାତ୍ମକ ରୋଗ ହୋଇଛି ପୁଅ ଉଣ୍ଡୁ ନାଏକ କୁ । ସଭ୍ୟ ସମାଜକୁ ପ୍ରଶ୍ନର ପାହାଡ଼ ଛିଡ଼ା କରିବ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ କଦଳୀପାଳ ଗାଁର ଏହି ରିପୋର୍ଟ ।

Advertisment

ଦୁରରୁ ଦେଖାଯାଉଥିବା ଏହି ଭଙ୍ଗା ଛପର ଘରକୁ ଦେଖିଲେ କେହିବି ଭାବି ପାରିବ ନାହିଁ ଯେ ଏଠାରେ କେହି ରହୁଥିବେ । ନାଁ ପାଣି ଅଛି , ନା ବିଜୁଳି, ଚାରିପଟେ କାନ୍ଥ ବି ନାହିଁ । ହେଲେ ଏହି ଘରେ ରହୁଛନ୍ତି କ୍ୟାନସରରେ ପିଡିତ ଉଣ୍ଡୁ ନାୟକଙ୍କ ସହ ତାଙ୍କ ସ୍ତ୍ରୀ ଓ ମାଆ । ମୁହଁରେ କ୍ୟାନସର ହୋଇଯାଇଥିବାରୁ ସାଇପଡିଶା ଏପରିକି ପରିବାର ଲୋକ ମଧ୍ୟ ପାଖ ପୁରାଇନଥିଲେ । ଫଳରେ ଘରଦ୍ୱାର ଛାଡି ଗାଁ ଜଙ୍ଗଲ ମଶାଣି ପାଖରେ ଥିବା ଏହି ଘରେ ଆଶ୍ରୟ ନେଇଛନ୍ତି ତିନି ପ୍ରାଣୀ । ପୁଅର ଚିକିତ୍ସା ପାଇଁ ଯାହା ଯୋଉଁଠି ଥିଲା ବିକି ଭାଙ୍ଗି ସ୍ୱର୍ବଶ୍ୱ ସରିଗଲା ପରେ ଏବେ ଚିକିତ୍ସା ପାଇଁ ହାତରେ ଟଙ୍କା ଟିଏ ବି ନାହିଁ । ପୁଅ ଏବଂ  ସ୍ୱାମୀର ଏଭଳି ଅବସ୍ଥା ଦେଖି ବୁଢୀ ମା ଓ ସ୍ତ୍ରୀ ଆଖିରୁ ଲୁହ ଶୁଖୁନାହିଁ ।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କଦଳୀପାଳ ଗାଁର ଉଣ୍ଡୁ ନାଏକଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ହେଲେ ଚିକିତ୍ସା ଦୂରର କଥା ଖାଇବା ପାଇଁ ସେମାନଙ୍କ ପାଖରେ ଏବେ ଅର୍ଥ ନାହିଁ । ଏବେ ଉଣ୍ଡୁଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପଡିଥିବାରୁ ସେ କେବଳ ତରଳ ଖାଦ୍ୟ ଖାଉଛନ୍ତି ।  ସରକାର ଯଦି କିଛି ସାହାଯ୍ୟ ସହଯୋଗ କରନ୍ତି ତ ତାହେଲେ ସେମାନେ କିଛି ଉପକୃତ ହୋଇପାରନ୍ତେ  ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ମଶାଣି ଆଢୁଆଳରେ ରହି ଜୀବନ ଜିଇଁବାର ରାହା ଦେଖୁଥିବା କ୍ୟାନସର ପିଡିତ ଉଣ୍ଡୁ ନାଏକ ଏବେ ମନରେ ଆଶା ବାନ୍ଧିଛି ଆଗକୁ ସରକାର ନିଶ୍ଚୟ ସାହାଯ୍ୟର ହାତ ବଢାଇବେ ଆଉ ସେ ସମ୍ପୁର୍ଣ୍ଣ ଭଲ ହେବେ ।