ବଳି ଭୟରେ ଝିଅର ସ୍କୁଲ ଯିବା ବନ୍ଦ କଲେ ପରିବାର। ଜଗତସିଂହପୁରରୁ ରାଉତ ନୂଆଗାଁରୁ ଆସିଲା ସାଙ୍ଘାତିକ ଖବର।

225

କନକ ବ୍ୟୁରୋ: ପରିବାରକୁ ଘାରିଛି ବଳି ଭୟ । ବଳି ଭୟରେ ଝିଅର ସ୍କୁଲ ଯିବା ବନ୍ଦ । ଏ କଥାଟା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେଉଥିବେ । ଝିଅକୁ କାଳେ ବଳି ଦିଆଯିବ ସେ ଭୟରେ ପୂରା ପରିବାର ଭୟଭୀତ । ଆଉ ଏହି ଭୟ ଯୋଗୁ ୬ରୁ ୭ ଦିନ ହେବ ଝିଅର ପାଠପଢାକୁ ବନ୍ଦ ରଖିଛନ୍ତି ପରିବାର ଲୋକେ । ଅଘଟଣ ଘଟିବା ଆଶାରେ ସେମାନେ ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ରାଉତ ନୂଆଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଗାଁର ନାରାୟଣ ପାଣି ନିଜ ଝିଅ ଅସ୍ମିତା ପାଣିଙ୍କ ପାଠପଢାକୁ ବନ୍ଦ ରଖିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ହେବ କିଛି ଅଜଣା ଦୁର୍ବୃତ୍ତ ଆସି ତାଙ୍କ ଘରେ କବାଟ ବାଡେଇବା ସହ ଖୋଜାକୋଜି କରୁଛନ୍ତି । ତନ୍ତ୍ରସାଧନା କରି ଗୁପ୍ତଧନ ପାଇବା ଆଶାରେ ଶିଶୁ କନ୍ୟାକୁ ବଳିଦେବା ପାଇଁ ସେମାନେ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ନନ୍ଦବ୍ରତୀ ନଦୀକୁ ଲାଗି ରହିଥିବା ଜଙ୍ଗଲରେ ଏକ ହୁଙ୍କାରେ ଜଣେ ତାନ୍ତ୍ରିକ ପୂଜାର୍ଚ୍ଚନା କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ନାବାଳିକାକୁ ବଳି ଦେଇ ଗୁପ୍ତ ଧନ ପାଇବା ପାଇଁ ସେ ଏଭଳି କରୁଥିବା ଗୁଜବ ସୃଷ୍ଟି ହୋଇଛି ।

କେବଳ ନାରାୟଣ ପାଣିଙ୍କ କଥା ନୁହେଁ ଗାଁରେ ବଳି ଭୟରେ କୋକୁଆ ଭୟ ଦେଖାଦେଇଛି । ସନ୍ଧ୍ୟା ହେବା ମାତ୍ରେ ସମସ୍ତେ ଘରେ ରହୁଛନ୍ତି । ଲଗାତର ଭାବେ ସନ୍ଧ୍ୟା ସମୟରେ ଦୁର୍ବୃତ୍ତ ମାନେ ଗାଁ କୁ ଆସୁଥିବା ସମସ୍ତେ ଅଭିଯୋଗ କରୁଛନ୍ତି । ବାରମ୍ବାର ଏଭଳି ହେବା ପରେ ଶେଷରେ ରଘୁନାଥପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି ନାରାୟଣ । ତେବେ ଅଭିଯୋଗକୁ ପୋଲିସ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି ।