କନକ ବ୍ୟୁରୋ: ଲିଭି ଯାଇଛି ସିନ୍ଥିର ସିନ୍ଦୁର । କାନ୍ଦି କାନ୍ଦି ଆଖିର ଲୁହ ଶୁଖିଗଲାଣି । ଦିନେ କି ଦୁଇ ଦିନ ନୁହେଁ, ମାସେ ଧରି ସ୍ୱାମୀଙ୍କ ଶବକୁ ଅପେକ୍ଷା କରିବା କେତେ କଷ୍ଟକର, ତାହା ସ୍ତ୍ରୀଙ୍କ ଆଖିର ଲୁହ ବୟାନ କରୁଛି । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଏନ୍ଦୁଳାପୁର ଗାଁର ଏହି ପରିବାର ପାଇଁ ବାହାନଗା ଦୁର୍ଘଟଣାର ଦୁଃଖ ଠାରୁ ଢେର ଅଧିକ ଯନ୍ତ୍ରଣାଦାୟକ ବିଳମ୍ବିତ ଶବ ଚିହ୍ନଟ ପ୍ରକ୍ରିୟା । କାହିଁକା ନା, ଟ୍ରେନ ଦୁର୍ଘଟଣାରେ ଘରର ମୁଖିଆଙ୍କ ମୃତ୍ୟୁ ହୋଇଥିବା ବେଳେ ମାସେ ପରେ ପରିବାରକୁ ମିଳିଲା ଶବ ।

Advertisment
  • ମାସେ ପରେ ଜନ୍ମମାଟିରେ ଜଳିଲା ଜୁଇ
  • ଡିଏନଏ ରିପୋର୍ଟ ଆସିବା ପରେ ହସ୍ତାନ୍ତର ହେଲା ଶବ

ବାହାନଗା ଦୁର୍ଘଟଣାର ମାସେ ୩ ଦିନ ପରେ ବୁଧବାର ରାତିରେ ଏନ୍ଦୁଳାପୁର ଗାଁରେ ପହଞ୍ଚିିଥିଲା ପୁରୁଷୋତମ ମହାନ୍ତିଙ୍କ ମୃତଦେହ । ୮୦ ବର୍ଷ ବୁଢା ବାପା ଆଗରେ ମଶାଣିରେ ଜଳିଯାଇଛି ପୁଅର ଶବ । ଦିଲ୍ଲୀରୁ ଡିଏନଏ ରିପୋର୍ଟ ଆସିବା ପରେ ପୁରୁଷତ୍ତମଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଭୁବନେଶ୍ୱର ଏମସ କର୍ତୃପକ୍ଷ ।

ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ପୁରୁଷୋତ୍ତମ । ୮୦ ବର୍ଷର ବୁଢ଼ାବାପା, ସ୍ତ୍ରୀ, ପୁଅ ଓ ଝିଅ ମୁହଁରେ ଦାନା ଦେବା ପାଇଁ ଯଶବନ୍ତପୁର-ହାୱଡା ଏକ୍ସପ୍ରେସରେ କଲିକତା ଯାଉଥିଲେ । ହେଲେ ଜୁନ୍ ୨ ଟ୍ରେନ ଦୁର୍ଘଟଣାରେ ସବୁ ଦିନ ପାଇଁ ଶବ ପାଲଟିଗଲେ ପୁରୁଷୋତ୍ତମ ।