କଳାହାଣ୍ଡି ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା: ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର 

195

କନକ ବ୍ୟୁରୋ: କଳାହାଣ୍ଡି ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ ହେପାଜତରୁ ସ୍କୁଲ ମାଲିକ ଫେରାର ହେବା ଘଟଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକ । ମନ୍ତ୍ରୀଙ୍କ ଚାପରେ ପୋଲିସ ଅଭିଯୁକ୍ତଙ୍କୁ ଖସାଇଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ହେଲେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ଆଇନ ତା ବାଟରେ ଯିବ । ବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି । ଦୋଷୀଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ହେବ ।

ସୂଚନା ମୁତାବକ, ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ତାଙ୍କୁ ଉଠାଇ ଆଣିଥିଲା ପୋଲିସ । ଗତ ୮ ତାରିଖରେ ଗୋବିନ୍ଦ ସାହୁ, ସ୍କୁଲର କିଛି କାଗଜପତ୍ର କାମ ଅଛି କହି ମମିତାଙ୍କୁ ଡକାଇ ଥିଲେ । ହେଲେ ସେ ସ୍କୁଲ ଆସିବା ବାଟରେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏହି ମାମଲାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ଉଠାଇ ଆଣିଥିବାବେଳେ ସେ ପୋଲିସ ହେପାଜତରୁ କେମିତି ଚମ୍ପଟ ମାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାରେ କାମରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

ସେପଟେ ପ୍ରାୟ ୧୦ ଦିନ ହେଲାଣି ମମିତାଙ୍କ ଖୋଜ ଖବର ମିଳୁନାହିଁ । ଗତ ୮ ତାରିଖରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ମହାଲିଙ୍ଗରେ ଥିବା ସନ୍ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ସ୍କୁଲକୁ ଆସୁଥିବାବେଳେ ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇ ଯାଇଥିଲେ । ୧୨ ତାରିଖରେ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ପୋଲିସ କଳାହାଣ୍ଡିର କେଗାଁକୁ ଆସି ସେଠାକାର ପୋଲିସ ସହିତ କଥାବାର୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା ।