କନକ ବ୍ୟୁରୋ: ପୁଣି ଶବକୁ ଅସମ୍ମାନ । ମହାପ୍ରୟାଣ ଗାଡି ନ ମିଳିବାରୁ ଯୁବକଙ୍କ ମୃତଦେହକୁ କାନ୍ଧେଇ ନେଉଥିଲେ ପରିବାର ଲୋକ । ହତ୍ୟା ଅଭିଯୋଗ ଆଣି ପରିବାର ଲୋକ ମୃତଦେହକୁ ଧରି ସଦର ଥାନା ଅଭିମୁଖେ ବାହାରିଥିଲେ । ଖବର ପାଇ ପୋଲିସ ଅଧ ବାଟରୁ ସଂପର୍କୀୟଙ୍କ ପାଖରୁ ଜବରଦସ୍ତି ମୃତଦେହକୁ ଛଡେଇ ନେଇ ନିଜ ଗାଡିରେ ନେଇ ଘରେ ପହଞ୍ଚାଇଛି । ବାରିପଦା ସହର ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଖବର ।

ମୃତକ ହେଉଛନ୍ତି ସଦର ଥାନା ଅଧିନ ଦାମୋଦରପୁର ଅଞ୍ଚଳର ୧୯ ବର୍ଷ ବୟସ୍କ ପ୍ରକାଶ ବିନ୍ଧାଣୀ । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ଏବଂ ପ୍ରେମିକାର ଘର ଲୋକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପ୍ରକାଶ ପାଖ ଅଞ୍ଚଳର ଜଣେ ଝିଅଙ୍କୁ ପ୍ରେମ କରୁଥିଲେ । ଏହାକୁ ପ୍ରେମିକା ପରିବାର ଲୋକ ବିରୋଧ କରି ଝିଅର ବିବାହ ଅନ୍ୟତ୍ର ଠିକ କରିଥିଲେ । ଗତ ୬ ତାରିଖରେ ପ୍ରକାଶ ବିନ୍ଧାଣୀ ପ୍ରେମିକା ଘରୁକୁ ଯାଇ ଫେରିନଥିଲେ । ପରିବାର ଲୋକ ପ୍ରେମିକା ଘର ପ୍ରକାଶର ସନ୍ଧିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିବା ଅଭିଯୋଗ କରିଛନ୍ତି । ସୂଚନାପାଇ ପୁଲିସ ମୃତଦେହ ଜବତ କରି ବାରିପଦା ପିଆରଏମ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ମୃତଦେହକୁ ଥାନାକୁ ନେଇ ନ୍ୟାୟ ଦାବିରେ ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା କରିଥିଲେ । ମୃତଦେହ ନେବାକୁ ମହାପ୍ରୟାଣ ଗାଡି ମିଳିନଥିଲା । ଥାନାକୁ ନେବା କଥା ଶୁଣି କୌଣସି ଆମ୍ବୁଲାନ୍ସ ମୃତଦେହ ନେବାକୁ ରାଜି ହୋଇନଥିଲା । ବାଧ୍ୟ ହୋଇ ଶେଷରେ ମୃତଦେହକୁ କାନ୍ଧେଇ ଥାନାକୁ ବାହାରିଥିଲେ ପରିବାର ଲୋକ ଓ ସଂପର୍କୀୟ ।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ପାଲବଣେଇ ଗୋଲେଇ ଛକ ନିକଟରୁ ଜବରଦସ୍ତି ମୃତଦେହକୁ ନିଜ ଗାଡିରେ ନେଇ ଘରେ ପହଞ୍ଚାଇଥିଲା । ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ପରିବାର ଲୋକେ ଥାନାକୁ ଆସି ହଙ୍ଗାମା କରିଥିଲେ । ପରେ ଘଟଣାସ୍ଥଳରେ ଏସଡିପିଓ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ବାରିପଦା ସଦର ଥାନା ଅପମୃତ୍ୟୁ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ପରିବାର ଲୋକ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପ୍ରେମିକା ଘର ଲୋକ ଘଟଣା ସଂପର୍କରେ କିଛି ଜାଣିନଥିବା କହିଛନ୍ତି ।