କନକ ବ୍ୟୁରୋ: ପରିବାର ଚଳାଇବା ପାଇଁ ମହିଳା ଜଣଙ୍କ କେତେବେଳେ କାଠ ହାଣୁଛନ୍ତି ତ ପୁଣି କେତେବେଳେ ଚାଷ କାମ କରୁଛନ୍ତି । ପୁଣି କେତେବେଳେ ପର ଘରେ ମୂଲ ମଜୁାରୀ ଲାଗୁଛନ୍ତି । କାରଣ କାମ ନକଲେ ପୁରା ପରିବାର ଉପାସରେ ରହିଯିବେ । ଦୁର୍ଘଟଣାରେ ସ୍ୱାମୀ ଦୁଇ ହାତ ହରାଇବା ପରେ ପରିବାରର ସମସ୍ତ ଦାୟିତ୍ୱ ପ୍ରେମାଙ୍କ ଉପରେ । ଦିବ୍ୟାଙ୍ଗ ସ୍ୱାମୀ ଓ ଦୁଇ ପୁଅଙ୍କ ମୁହଁରେ ହସ ଫୁଟାଇବା ପାଇଁ କେତେବେଳେ ୨୨ ବର୍ଷ ବତିଗଲାଣି ସେ ଜଣାପାରିନାହାନ୍ତି । ଏ ହେଉଛି ରାୟଗଡ଼ା ଜିଲ୍ଲା ଗାଜିଗାଁ ପଚାଂୟତ ଜାଙ୍ଗେସୁ ଗାଁର ପ୍ରେମା କଣ୍ଡାଗରିଙ୍କ ସଂଘର୍ଷର କାହାଣୀ । ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରିବା ଓ ଦୁଇ ପୁଅଙ୍କ ଭବିଷ୍ୟତ ଚିନ୍ତା କରି ସେ କାମ କରି ଚାଲିଛନ୍ତି ।

ନିଜ ହାତରେ କୁରାଢି ଧରି କାଠ ଚିରନ୍ତି ପ୍ରେମା  । କାରଣ କାଠ ଚିରିଲେ, ଚୁଲି ଜଳିବ  । ଘର ଘର ବୁଲି ମୂଲ ଲାଗିବା ସହ ନିଜେ ଚାଷ କରିଥିବା ଅର୍ଥରୁ ମାସିକ ଯାହା ମିଳିଥାଏ ସେଇଥିରେ ନିଜେ ସ୍ୱାମୀ ଓ ସ୍ତ୍ରୀ ଚଳିବା ସହ ନିଜ ଦୁଇ ପୁଅଙ୍କ ପାଠ ପଢ଼ା ବାବଦକୁ ଖର୍ଚ୍ଚ କରିଥାନ୍ତି  । ୨୦୦୧ରେ ନରେନ୍ଦ୍ର କଣ୍ଡାଗରିଙ୍କୁ ବିବାହ କରିଥିଲେ ପ୍ରେମା । ବେଶ ହସଖୁସିରେ ଚାଲିଥିଲା ପରିବାର । ବାହାଘରର ବର୍ଷକ ପରେ ଯେମିତି ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ମାଡ଼ିଆସିଥିଲା । ସଡ଼କ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇଗଲେ ନରେନ୍ଦ୍ର । ଏତେ ବଡ଼ ଦୁଃଖକୁ ସାମ୍ନା କରିବା ସହ ପରିବାର ଚଳାଇବା ପାଇଁ ଅଂଟା ଭିଡ଼ିଥିଲେ ପ୍ରେମା ।

ଦୀର୍ଘ ୨୨ ବର୍ଷ ଧରି ନିଜେ କଷ୍ଟ କରି ନିଜ ଘର ଚଳାଇ ସ୍ୱାମୀଙ୍କ ସେବା ଶୁଶ୍ରୁଶା କରିବା ସହିତ ନିଜର ଦୁଇ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରିିଛନ୍ତି  । ବଡପୁଅ ପୂର୍ଣ୍ଣଚନ୍ଦ୍ର କଣ୍ଡାଗରି ଯୁକ୍ତ ୩ ଶେଷ ବର୍ଷରେ ପାଠ ପଢ଼ୁଥିବା ବେଳେ ସାନ ପୁଅ ଜିତେନ୍ଦ୍ର କଣ୍ଡାଗରି ଯୁକ୍ତ ୨ ପ୍ରଥମ ବଷର ଛାତ୍ର । ଦୀର୍ଘ ୨୨ ବର୍ଷର ଏହି ସଙ୍ଘର୍ଷରେ କେବେବି ଥକିପଡି ନାହାନ୍ତି ପ୍ରେମା ।