କନକ ବ୍ୟୁରୋ : ସ୍ତ୍ରୀଙ୍କ ମୃତଦେହ ନେଇଗଲେ ନକଲି ସ୍ୱାମୀ । କଥାଟି ଅଜବ ଲାଗୁ ଥାଇପାରେ । ହେଲେ ଘଟଣାକ୍ରମରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଦୀର୍ଘଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଜଣେ ମହିଳା । ଡାକ୍ତରଙ୍କ ଶତଚେଷ୍ଟା ସତ୍ୱେ ତାଙ୍କ ଜୀବନ ବଂଚାଇବା ସମ୍ଭବ ହେଲାନାହିଁ । ମହିଳାଙ୍କ ମୃତ୍ୟୁ ପରେ ଘଟିଲା ଅଜବ ଘଟଣା । ସ୍ୱାମୀଙ୍କ ଅନୁପସ୍ଥିତିରେ ଆଉଜଣେ ବ୍ୟକ୍ତି ସ୍ୱାମୀ ଭାବେ ଦାବିଦାର ସାଜିଲେ । ଡାକ୍ତରଖାନାରେ ପହଂଚି ମୃତ ମହିଳା ତାଙ୍କ ସ୍ତ୍ରୀ ବୋଲି ଦାବି କଲେ । ଆଶ୍ଚର୍ଯ୍ୟର କଥା ହେଉଛି ସେହି ନକଲି ସ୍ୱାମୀଙ୍କୁ ସମର୍ଥନ କରି ମହିଳାଙ୍କ ମାଆ କହିଲେ ସେ ତାଙ୍କ ଜ୍ୱାଇଁ । ଫଳରେ ହସ୍ପିଟାଲ କର୍ତୃପକ୍ଷ ଅସଲି ସ୍ୱାମୀଙ୍କୁ ସୁରକ୍ଷାକର୍ମୀ ଲଗାଇ ତଡିଦେଲେ । କଥା ଥାନାରେ ପହଂଚିବା ପରେ ଏହି ରହସ୍ୟ ପଦାକୁ ଆସିଥିଲା ।

Advertisment

ସୂଚନା ଅନୁସାରେ ବାଲିପାଟଣା ଥାନା ଦାନପଡା ଗାଁର ପ୍ରଫୁଲ୍ଲ ଷଡଙ୍ଗୀ ଜଣେ ପୂଜକ ଭାବେ କାମ କରନ୍ତି । ୨୦୧୯ ଏପ୍ରିଲ ମାସରେ ସେ ୟୁନିଟ-୩ ଏନଏସି କଲୋନୀର ଅପରାଜିତା ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ । ଅପରାଜିତାଙ୍କ ମାଆଙ୍କ ଛଡା ଆଉକେହି ନଥିବାରୁ ପ୍ରଫୁଲ୍ଲ ବାହାଘର ପରେ ଶ୍ୱଶୂର ଘରେ ସ୍ତ୍ରୀଙ୍କ ସହିତ ରହୁଥିଲେ । ବାହାଘରର କିଛିମାସ ପରେ ଅପରାଜିତାଙ୍କ ଦେହ ଖରାପ ହେଲା । ସ୍ୱାମୀ ପ୍ରଫୁଲ୍ଲ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତି କରିଥିଲେ । ତେବେ ଅପରାଜିତାଙ୍କ ଅସୁସ୍ଥତା ପାଇଁ ପ୍ରଫୁଲ୍ଲଙ୍କୁ ଦାୟୀ କରି ତାଙ୍କ ମାଆ ପ୍ରଫୁଲ୍ଲଙ୍କୁ ଘର ଛାଡିଦେବା ପାଇଁ କହିଥିଲେ । ଫଳରେ ପ୍ରଫୁଲ୍ଲ ସ୍ତ୍ରୀଙ୍କୁ ଶାଶୂଙ୍କ ପାଖରେ ଛାଡି ପୋଖରୀପୁଟ ଅଂଚଳରେ ରହିଥିଲେ । ମଝିରେ ମଝିରେ ଯାଇ ସ୍ତ୍ରୀଙ୍କ ଅବସ୍ଥା ବୁଝି ଆସୁଥିଲେ । ହେଲେ ଗତ ମାର୍ଚ୍ଚ ୨୬ ତାରିଖରେ ପ୍ରଫୁଲ୍ଲଙ୍କୁ କେହି ଜଣେ ତାଙ୍କ ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇ ଏମ୍ସ ଆଇସିୟୁରେ ଭର୍ତି ହୋଇଥିବା କହିଥିଲେ । ହସ୍ପିଟାଲରେ ପହଂଚି ପ୍ରଫୁଲ୍ଲ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ହେଲେ ସେଠାରେ ଶାଶୂଙ୍କ ପୁତୁରା ଅପରାଜିତାଙ୍କୁ ତାଙ୍କ ସ୍ତ୍ରୀ କହି କାନ୍ଦୁଥିବା ଦେଖିଥିଲେ । ପ୍ରଫୁଲ୍ଲ ଏହାକୁ ବିରୋଧ କରିଥିଲେ ହେଲେ ଶାଶୂ କିନ୍ତୁ ପୁତୁରାଙ୍କୁ ତାଙ୍କ ଜ୍ୱାଇଁ ବୋଲି ପରିଚୟ ଦେଇଥିଲେ । ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ସୁରକ୍ଷାକର୍ମୀମାନେ ପ୍ରଫୁଲ୍ଲଙ୍କୁ ସେଠାରୁ ତଡି ଦେଇଥିଲେ । ପରେ ସେ ହିଁ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ନେଇ ହସ୍ପିଟାଲରୁ ଚାଲିଯାଇଥିଲେ । ଏବେ ସ୍ତ୍ରୀଙ୍କ ଫଟୋ ରଖି ଦଶାହ କାମ ସମ୍ପନ୍ନ କରିଛନ୍ତି ପ୍ରଫୁଲ୍ଲ ।