ବଢୁଛି ‘ପରୀ’ ତାତି : ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପି ପ୍ରତିନିଧି ଦଳ

172

କନକ ବ୍ୟୁରୋ : ଏସ୍ଆଇଟି ଖୋଲିବ ‘ପରୀ’ ମୃତ୍ୟୁର ରହସ୍ୟ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ କରାଯାଇଛି । ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ ଆଜି ନୟାଗଡର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବ । ପରୀକୁ ନେଇ ବିଧାନସଭା ଅଚଳ ହୋଇପଡିବା ପରେ ସରକାର ଘଟଣାର ଏସଆଇଟି ଗଠନ କରିବାକୁ ଘୋଷଣା କରିଥିଲେ ।

ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି । ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିବେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ବିଧାୟକ ଯାଇ, ପୀଡ଼ିତ ପରିବାର ଲୋକଙ୍କୁ ଭେଟିଥିଲେ । ପରୀ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଘଟଣାସ୍ଥଳ ବୁଲି ଦେଖିଥିଲେ । ଏସଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି । ପରୀ ମାମଲାରେ ସିବିଆଇ ତଦନ୍ତ ହେଉ, ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି । ବିଜେପି ପ୍ରତିନିଧି ଦଳର ଗସ୍ତକୁ ଦୃଷ୍ଟିରେ ରଖି ନୟାଗଡ଼ର ଯଦୁପୁର ଗାଁରେ ପୁଲିସ ଛାଉଣୀ ଦେଖିବାକୁ ମିଳିଥିଲା ।