କନକ ବ୍ୟୁରୋ: ୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ହେବ ୫ ରାଜ୍ୟର ଫଳାଫଳ । କାହା ସପକ୍ଷରେ ଯିବ ଜନମତ । ଦେଶରେ ମୋଦୀ ଲହର ଓ ରାହୁଲଙ୍କ ଲୋକପ୍ରିୟତାର ବଡ଼ ସଂକେତ ଦେବ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମର ଫଳାଫଳ । ଏକଜାଟ୍ ହେବ କି ଏକଜିଟ୍ ପୋଲ ରିପୋର୍ଟ । ହିନ୍ଦୀ ହାର୍ଟଲ୍ୟାଣ୍ଡରୁ କ’ଣ ଆସିବ ବାର୍ତା । ରାଜନୀତିର ସାପ ସିଡି ଖେଳରେ କିଏ ଆଗକୁ ଯିବ, କିଏ ତଳକୁ ଖସିବ, ତା’ ଉପରେ ସମସ୍ତଙ୍କ ନଜର । ବିଶେଷକରି ଛତିଶଗଡ଼, ରାଜସ୍ଥାନରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକିଥିବା ବେଳେ ମଧ୍ୟପ୍ରଦେଶରେ କ’ଣ ହେବ ଫଳାଫଳ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ତେଲେଙ୍ଗାନାରେ ବିଜେପି ଓ କଂଗ୍ରେସ କେଉଁ ଭୂମିକାରେ ନଜର ଆସିବେ, ତାହା ଫଳାଫଳ ସ୍ପଷ୍ଟ କରିବ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ଏବେ ସାରା ଦେଶର ନଜର ଏକଜିଟ୍ ପୋଲ ଉପରେ । ଚଳିତ ବର୍ଷର ଶେଷ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା । ଛତିଶଗଡ଼ରେ ନଭେମ୍ବର ୭ ଓ ନଭେମ୍ବର ୧୭ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମିଜୋରାମରେ ନଭେମ୍ବର ୭ରେ, ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ରାଜସ୍ଥାନରେ ନଭେମ୍ବର ୨୩, ତେଲେଙ୍ଗାନାରେ ୩୦ ତାରିଖରେ ମତଦାନ ହୋଇଥିଲା । ଡିସେମ୍ବର ୩ ତାରିଖରେ ମତଦାନର ଫଳାଫଳ ଆସିବ । କିନ୍ତୁ ତା’ ପୂର୍ବରୁ ଏଗଜିଟ୍ ପୋଲ୍ ଉପରେ ସମସ୍ତଙ୍କର ନଜର ରହିଛି ।