ରବି ଧାନ ସଂଗ୍ରହ ନେଇ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ରୁ ଏପ୍ରିଲ ୧୦କୁ ବଢିଲା ସମୟ ସୀମା ।

99

କନକ ବ୍ୟୁରୋ: ୨୦୨୦-୨୧ ବର୍ଷରେ ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ ତାରିଖରୁ ଏପ୍ରିଲ ୧୦ ତାରିଖକୁ ସମୟ ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରବି ଧାନ ସଂଗ୍ରହ ହେଉଥିବା ୧୭ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ସେହିପରି ସୋସାଇଟିଗୁଡିକରେ ଫର୍ମ ଡିଜିଟାଇଜେସନର ସମୟସୀମା ଏପ୍ରିଲ ୧୦ ତାରିଖରୁ ଏପ୍ରିଲ ୧୩ ତାରିଖକୁ ବୃଦ୍ଧି କରାଯାଇଛି । ସଂପୃକ୍ତ ପ୍ୟାକ୍ସ, ଲ୍ୟାମ୍ପସ କିମ୍ବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଂଚାୟତର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନାମ ପଂଜୀକରଣ  ସମୟ ସୀମା ବୃଦ୍ଧି ସମ୍ପର୍କିତ ସୂଚନା ଚାଷୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସୋସାଇଟିକୁ ନାମ ପଂଜୀକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ୨୦୨୦-୨୧ ଖରିଫ ବିପଣନ ବର୍ଷରେ ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୂଆପଡା, ବରଗଡ, ଯାଜପୁର, କୋରାପୁଟ, ପୁରୀ, ବଲାଙ୍ଗୀର, ଝାରସୁଗୁଡା, ମୟୂରଭଞ୍ଜ, ରାୟଗଡା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି ।