ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ, ନିଯୁକ୍ତି ପାଇଁ ୧୦ ଲକ୍ଷ ମାଗିଥିଲେ ବିରଞ୍ଚି ସାହୁ

174

କନକ ବ୍ୟୁରୋ: ଏହି ଖଣ୍ଡଯୁଦ୍ଧ ପଛରେ ରହିଛି ସନ୍ଦେହ । ଏହି ହଙ୍ଗାମା ପଛରେ ରହିଛି ଦୁର୍ନୀତିର ଆଶଙ୍କା । ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ପରେ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଷ୍ଟାଫ ସିଲେକସନ୍ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ନିଯୁକ୍ତି ପ୍ରକ୍ରିୟାର ତଦନ୍ତ ଦାବି କରିଛି କଂଗ୍ରେସ ।

ସନ୍ଦେହ ହେବା ବି ସ୍ୱାଭାବିକ୍ । କାରଣ, ଓଏସଏସସିର ନିଯୁକ୍ତି ନେଇ ପରୀକ୍ଷାର୍ଥୀ ପିଏସ୍ ବିଂରଚି ସାହୁଙ୍କ ନାଁରେ ଯେଉଁ ଭଳି ଅଭିଯୋଗ ଆସିଛିି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଚାକିରୀ କରାଇ ଦେବା ପାଇଁ ଜଣେ ଛାତ୍ରଙ୍କୁ ସେ ୧୦ଲକ୍ଷ ଟଙ୍କା ଲାଂଚ ଦାବି କରୁଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହେଁ, ଏହି ମହାଦୁର୍ନୀତିରେ ସେ ମହାଦେବ ମନ୍ଦିରର ବୃଷବ ଥିଲେ ବୋଲି କହିଛନ୍ତି । ଅର୍ଥାତ ଓଏସଏସସି ଦୁର୍ନୀତିର ଗନ୍ତାଘର ଏବଂ ବିରଂଚିଙ୍କ ଜରିଆରେ ମୂଳରୁ ଚୂଳ ସବୁ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ଜାଲିଆତିରେ ସମ୍ପୃକ୍ତ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଓଏସଏସସି ନିଯୁକ୍ତି ଜାଲିଆତିରେ ରାଜନେତାଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି ।

ଏପଟେ ଓଏସଏସସିର ପୂର୍ବତନ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି- ଯଦି ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତିର ଅଭିଯୋଗ ଆସୁଛି, ତାର ନିରପେକ୍ଷ ଭାବେ ତଦନ୍ତ ହେବା ଜରୁରୀ । ଆଉ ଏସବୁ ଭିତରେ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲା ଚର୍ଚ୍ଚାରେ ଥିବା ପିଏସ୍ ବିରଂଚି ନାରାୟଣ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବିରଂଚି ନାରାୟଣ ସାହୁଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।