ପଶ୍ଚିମା ଝଡ ପ୍ରଭାବରେ ଭିଜିବ ପୂରା ଓଡିଶା । ଆଜିଠୁ କାଁ ଭାଁ ସ୍ଥାନରେ ବର୍ଷା-ଘଡଘଡି-ବିଜୁଳି । ୧୬ରୁ ବଢିବା ନେଇ ଆଶଙ୍କା ।

196

କନକ ବ୍ୟୁରୋ: ପାଗରେ ପରିବର୍ତ୍ତନ ଆଣିବ ପଶ୍ଚିମାଝଡ । ତାତିରୁ ମିଳିବ ସାମାନ୍ୟ ତ୍ରାହି । ଟାଣ ଖରାରୁ ଆଶ୍ୱସ୍ତି ଦେବ ପଶ୍ଚିମା ଝଡ । ଏହାର ପ୍ରଭାବରେ ଆଜି ଠାରୁ ପାଗରେ ପରିବର୍ତ୍ତନ ଦେଖା ଦେବ । ଆଜି ୮ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୁଳ ଆଦି ଜିଲ୍ଲାକୁ ସତର୍କ କରାଯାଇଛି ।

ଏଥିସହ ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ପଡିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡାରେ ବିଜୁଳି, ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି ।

୧୪ ଏବଂ ୧୫ ଅର୍ଥାତ ଆଜି ଏବଂ ଆସନ୍ତାକାଲି ହାଲୁକା ବର୍ଷା ହେବ । ୧୬ ତାରିଖରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ସେହି ୧୬ ତାରିଖରେ ଝଡ ସହ ପବନ ହେବ । ୮ଟି ଜିଲ୍ଲାକୁ ଏଥିପାଇଁ ସତର୍କ କରାଯାଇଛି । ୧୭ ଏବଂ ୧୮ ପ୍ରାୟ ୭୫ ପ୍ରତିଶତ ସ୍ଥାନରେ ବର୍ଷା ହେବ । ମୋଟାମୋଟି କହିବାକୁ ଗଲେ ୧୬ ତାରିଖରୁ ୧୮ ତାରିଖ ୩୦ଟି ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ ପଡିବ ।