ପାଣି ସୁଅରେ ଭାସିଗଲେ ପୁରା ପରିବାର । ଛୁଟି କାଟିବାକୁ ଯାଇ ଆଉ ଘରକୁ ଫେରିପାରିଲେନି  ମହାରାଷ୍ଟ୍ର ଲୋନାୱାଲାର ପରିବାର ।  

421

କନକ ବ୍ୟୁରୋ: ଖୁସି କେମିତି ହଠାତ୍ ଦୁଃଖ ପାଲଟିଯାଏ । ହସ କେମିତି କେଇ ମୁହୁର୍ତ୍ତ ଭିତରେ ରେ ଲୁହରେ ବଦଳି ଯାଏ । ପ୍ରକୃତି ଯେତେବେଳେ ରୂପ ବଦଳାଏ, ସେତେବେଳେ ମଣିଷ ତାପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ । ଏ ହେଉଛି ସେମିତି ଏକ ଚିତ୍ର । ହସଖୁସିରେ ବୁଲିବା ଯାଇଥିଲେ ଗୋଟିଏ ପରିବାର । ହେଲେ ସେମାନଙ୍କୁ ଜଣାନଥିଲା, ଏହା ସେମାନଙ୍କ ଶେଷ ବୁଲା ପାଲଟିଯିବ । ବୁଲିବାକୁ ଯାଇ ପୁରା ପରିବାରର ଜୀବନ ଚାଲିଯିବ । ପାଣି ସୁଅରେ ସେମାନଙ୍କ ଜୀବନ ଭାସି ଯିବ । ମହାରାଷ୍ଟ୍ରର ଲୋନାୱାଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ।

ଏକ ପରିବାର ଛୁଟି କାଟିବାକୁ ଯାଇଥିଲେ । ଛୁଟି ସାରି ଘରକୁ ଫେରିଥାନ୍ତେ । ହେଲେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ତୁହାକୁ ତୁହା ବର୍ଷା ଯୋଗୁଁ ଚାରିଆଡେ ପାଣିର ସୁଅ ଛୁଟିଲା । ଆଉ ବର୍ଷା ଜଳର ପ୍ରଖର ସ୍ରୋତରେ ଲୋନାୱାଲା ଝରଣା ନିକଟକୁ ବୁଲିବାକୁ ଯାଇଥିବା ଏକ ପରିବାର ୫ ଜଣ ସଦସ୍ୟ ଭାସି ଯାଇଥିଲେ । ସମସ୍ତେ ନିକଟସ୍ଥ ଭୁସି ଡ୍ୟାମକୁ ଚାଲି ଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ୩୬ ବର୍ଷିୟ ମହିଳା ଓ ୪ ଜଣ ପିଲା ରହିଛନ୍ତି । ପର୍ଯ୍ୟଟକମାନେ ଭାସି ଯାଇଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଉଦ୍ଧାରକାରୀ ଦଳର ସହଯୋଗରେ ମୃତଦେହ ଉଦ୍ଧାର କରାଯାଉଛି । ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ୨ ଜଣ ନିଖୋଜ ଥିବା ଜଣାପଡିଛି ।