କନକ ବ୍ୟୁରୋ : ଏବେ ଶତ୍ରୁ ଦେଖିବ ଦେଶର ନାରୀଶକ୍ତିର ଦମ୍ । ଆକାଶର ବାହୁବଳି ରାଫେଲ୍ ଉଡାଇବେ ଗୋଲଡେନ୍ ଗର୍ଲ ଶିବାଙ୍ଗୀ ସିଂ । ଭାରତୀୟ ସର୍ବାଧୁନିକ ଫାଇଟର ଯୁଦ୍ଧ ବିମାନ ରାଫେଲ୍ ସ୍କୁଆଡ୍ରନର ପ୍ରଥମ ମହିଳା ପାଇଲଟ୍ ହେଉଛନ୍ତି ଶିବାନୀ ସିଂ । ୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ଶିବାଙ୍ଗୀ ସିଂ ଏବେ ରାଫେଲ୍ ଯୁଦ୍ଧ ବିମାନ ଉଡାଇବାକୁ ଅଂବାଲା ଏୟାରବେସରେ ତାଲିମ ନେଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଗରୁ ସେ ମିଗ୍ ୨୧ ବାଇସନ୍ ଯୁଦ୍ଧ ବିମାନ ଉଡାଇ ସାରିଛନ୍ତି । ରାଜସ୍ଥାନର ସୀମା ଅଂଚଳ ଅଂବାଲା ଏୟାରବେସରେ କାର୍ଯ୍ୟରତ ଅଛନ୍ତି । ଏନେଇ ସୂଚନା ପାଇବା ପରେ ଶିବାଙ୍ଗୀଙ୍କ ପରିବାରରେ ଖୁସି ଖେଳିଯାଇଛି । ପରିବାର ଲୋକେ ପରସ୍ପରକୁ ମିଠା ଖୁଆଇ ଖୁସି ପ୍ରକାଶ କରିଛନ୍ତି ।
ଶିବାଙ୍ଗୀ ସିଂ ହେଉଛନ୍ତି ଗୁଜରାଟର ଝିଅ । ପିଲାଟି ଦିନରୁ ବିମାନ ଉଡାଣ ପ୍ରତି ତାଙ୍କର ରୁଚି ରହିଥିଲା । ବାରଣାସୀରେ ସ୍କୁଲ ଶିକ୍ଷା ସରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ଏହା ପରେ ଏନସିସି ୭ ୟୁପି ଏୟାର ସ୍କୁଆଡ୍ରନର ସଦସ୍ୟ ରହିଥିଲେ । ୨୦୧୬ରେ ତାଙ୍କୁ ବାୟୁସେନା ଏକାଡେମୀକୁ ବିମାନ ଉଡାଣ ନେଇ ତାଲିମ ପାଇଁ ପଠାଯାଇଥିଲା ।
ଶିବାଙ୍ଗୀ ଭାରତୀୟ ବାୟୁସେନାର ସବୁଠାରୁ ପୁରୁଣା ମିଗ୍ ୨୧ ବାଇସନ୍ କୁ ଅଭିନନ୍ଦନ ବର୍ଧମାନଙ୍କ ସହିତ ଉଡାଇଛନ୍ତି । ଏବେ ସେ ଭାରତୀୟ ଆକାଶର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲ୍ ଉଡାଇବାକୁ ଯାଉଛନ୍ତି । ଶିବାଙ୍ଗୀ ଆଗାମୀ ଦିନରେ ବିମାନ ଉଡାଣ ପ୍ରତି ରୁଚି ରଖୁଥିବା ଦେଶର ଲକ୍ଷ ଲକ୍ଷ ଯୁବତୀଙ୍କ ପ୍ରତି ପ୍ରେରଣା ହେବେ ନିଶ୍ଚୟ ।