ଉତ୍ପାତ କରୁଛନ୍ତି ହାତୀପଲ, ଘଉଡାଇବା ପାଇଁ ନିଆଁହୁଳା ମାଡ଼

141

କନକ ବ୍ୟୁରୋ: ଗାଁ ଗଣ୍ଡାରେ ଉତ୍ପାତ କରୁଥିବା ହାତୀ ପଲଙ୍କୁ ଘଉଡାଇବା ପାଇଁ ନିଆଁହୁଳା ମାଡ଼ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକମାନେ ନିଆଁ ହୁଳା ଧରି ହାତୀ ଘଉଡାଇବାକୁ ଉଦ୍ୟମ କରିଛନ୍ତି । ନିଆଁହୁଳା କରି ହାତୀ ଉପରକୁ ଫୋପାଡୁଛନ୍ତି । ଆଉ ଏହା ହାତୀ ଉପରେ ପଡିବାରୁ ହାତୀର ଶରୀର ଜଳିଯାଉଛି । ଏପରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କରଂଜିଆ ଡିଏଫଓ । କହିଛନ୍ତି, ଅଭିଯୁକ୍ତ ଚିହ୍ନଟ ହେଲେ ମାମଲା ରୁଜୁ କରାଯିବ ।

କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ପ୍ରାୟ ୩୫ରୁ ଅଧିକ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ ଆତଙ୍କରୁ ବଂଚିବା ପାଇଁ ଲୋକମାନେ ନିଆଁ ହୁଳା ଦେଖାଇ ଘଉଡେଇବା ପାଇଁ ଉଦ୍ୟମ କରୁଛନ୍ତି । ହାତୀଙ୍କ ଉପରକୁ ନିଆଁ ମାଡ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି ।

ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଛି, ଜଙ୍ଗଲରେ ଖାଦ୍ୟର ଅଭାବ ହେଉଛି, ତେଣୁ ହାତୀପଲ ଜଙ୍ଗଲ ଛାଡି ଜନବସତି ଆଡକୁ ମୁହାଁଉଛନ୍ତି । ଗାଁରେ ପଶି ଧାନ ଚାଉଳ ଖାଇବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଅନେକ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ବେଳେ ହାତୀ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି ।