କନକ ବ୍ୟୁରୋ: ହାତୀ ଖୋଜୁଛିି ଘର ଠିକଣା । ଏଜାଗାରୁ ସେ ଜାଗା ବୁଲାଉଛି ବନ ବିଭାଗ । ଭୁବନେଶ୍ୱର ପାତ୍ରପଡାରୁ ଟ୍ରାଙ୍କୁଲାଇଜ୍ ହାତୀକୁ ଜଙ୍ଗଲରେ ଛାଡିବାକୁ ନେବାବେଳେ ଗ୍ରାମବାସୀଙ୍କ ବିରୋଧ ହୋଇଛି । ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ପଟିଆ ଜଙ୍ଗଲରେ ଛଡାଯାଇଥାନ୍ତା ଦନ୍ତା । ହେଲେ ବନ ବିଭାଗ ହାଇୱାରେ ନେବାବେଳେ ଅର୍ଜୁନପୁର ଗାଁଲୋକଙ୍କ ରାସ୍ତାରୋକ କରି ପ୍ରବଳ ବିରୋଧ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଗାଁଲୋକେ ନିଜ ଗାଁ ନିକଟ ଜଙ୍ଗଲରେ ଦନ୍ତାକୁ ଛାଡିବାକୁ ବନ କର୍ମଚାରୀଙ୍କୁ ବାରଣ କରିଥିଲେ । ଦୀର୍ଘ ସମୟ ଧରି ଗାଁ ଲୋକଙ୍କ ବିରୋଧର ପରେ ଟ୍ରାଙ୍କୁଲାଇଜ୍ ହାତୀକୁ ଧରି ଫେରିଆସିଛନ୍ତି ବନ କର୍ମଚାରୀ ।

Advertisment

ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ପ୍ରବେଶ କରିଥିଲା ଏହି ହାତୀ । ଧାନ ଖାଇବା ପାଇଁ ଚନ୍ଦକା ଜଙ୍ଗଲରୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଡେଲାଙ୍ଗ ଦେଇ ପିପିଲି ପଳାଇଥିଲା ଦନ୍ତା ହାତୀ । ପରେ ବିଳମ୍ବିତ ରାତିରେ ଧଉଳି ଦେଇ ରାଜଧାନୀରେ ପ୍ରବେଶ କରିଥିଲା । ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା ହାତୀ । ପରେ ଏହା ସୁନ୍ଦରପଦା ଦେଇ ପାତ୍ରପଡାରେ ପହଞ୍ଚିଥିଲା । ଆଉ ସେଠାରେ ହାତୀକୁ କାବୁ କରିଥିଲା ବନ ବିଭାଗ ଟିମ୍ । ରାଜଧାନୀରେ ହାତୀ ପ୍ରବେଶ କରିବା ପରେ ବନ ବିଭାଗ ଟିମ୍ ନାକେଦମ ହୋଇଥିଲା । ଶେଷରେ ଟ୍ରାଙ୍କୁଲାଇଜ୍ ପରେ ବି ଜଙ୍ଗଲରେ ଛାଡିବାକୁ ନେଇ ମଧ୍ୟ ବନବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଛି ।