କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ନସରୁଣୁ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ଠାରୁ ପଞ୍ଚାୟତ ନିର୍ବାଚନର ଗଣତି ଆରମ୍ଭ ହେଉଛି । ଏପଟେ କମିଶନ ତାରିଖ ଘୋଷଣା କରି କହିଛନ୍ତି, ୨୪ ମାର୍ଚ୍ଚରେ ୩ ମହାନଗର ସମେତ ୧୦୬ ପୌରପରିଷଦ ପାଇଁ ପଡିବ ଭୋଟ୍ ।
ଫେବୃୟାରୀ ୨୮ରେ ପଞ୍ଚାୟତ ନିର୍ବାଚନ ଫଳ ଆସିବାକୁ ଯାଉଛି, ଆଉ ଏପଟେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ରାଜ୍ୟ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପରେ ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ତେବେ ମାର୍ଚ୍ଚ ୨୪ରେ ୩ ମହାନଗର ସମେତ ୧୦୬ ପୌରପରିଷଦ ପାଇଁ ହେବ ଭୋଟ୍ । ନଜର ପକାନ୍ତୁ ନିର୍ବାଚନ କାର୍ଯ୍ୟସୂଚୀ ଉପରେ...
ପୌର ନିର୍ବାଚନର ପୂରା ପ୍ରକ୍ରିୟା
- ଫେବୃୟାରୀ ୨୮ ତାରିଖରେ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ
- ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ
- ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ
- ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ
- ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଭୋଟ୍
- ମାର୍ଚ୍ଚ ୨୬ରେ ଭୋଟ ଗଣତି
- ଏପ୍ରିଲ ୭ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ
- ଏପ୍ରିଲ ୮ରେ ଡେପୁଟୀ ମେୟର ନିର୍ବାଚନ
ତେବେ ପ୍ରଥମ ଥର ମେୟର ଏବଂ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ । ଅର୍ଥାତ୍ ପ୍ରତ୍ୟକ୍ଷ ଭାବେ ଏହି ପଦ ପାଇଁ ଲୋକମାନେ ଭୋଟ୍ ଦେବେ । ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ କାଉନସିଲର କିମ୍ବା କର୍ପୋରେଟରଙ୍କ ପାଇଁ ରହିବ । ଏଥିରେ ଗୋଲାପୀ ରଙ୍ଗର କାଗଜ ଲାଗିବ । ଅନ୍ୟ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷ ପାଇଁ ରହିବ । ଏଥିରେ ହଳଦୀ ରଙ୍ଗର କାଗଜ ଇଭିଏମ୍ରେ ଲାଗିବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବ୍ୟବସ୍ଥା ରଖାଯାଇଛି ।
ସେପଟେ ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ସିଧା ସଳଖ ହେବାକୁ ଯାଉଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ରାଜନୀତି । ଖାଲି ସେତିକି ନୁହେଁ, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ମହିଳା ମେୟର ହେବାକୁ ଯାଉଛନ୍ତି । ତେଣୁ ମେୟର ପ୍ରାର୍ଥୀ ପାଇଁ ଆଶାୟୀ ପ୍ରାର୍ଥୀ ଲବି ଆରମ୍ଭ କରିଦେଇଛନ୍ତି ।