କରୋନା ବେଳେ ହେବ ନିର୍ବାଚନ। ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ୍ ।

ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ହେବ ମତଦାନ, ମାର୍ଚ୍ଚ ୧୦ରେ ଫଳାଫଳ

184

କନକ ବ୍ୟୁରୋ:  ଦେଶର ୫ଟି ରାଜ୍ୟ–ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ଭିତରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।  ତେବେ ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଠାରୁ ୭ ଗୁଣା ବେଗରେ ବ୍ୟାପୁଥିବା ବେଳେ ଆଶ୍ଚର୍ଯ୍ୟ ଜନକ ଭାବେ ନିର୍ବାଚନ କମିସନ ଏହାକୁ ଏତେ ଗୁରୁତ୍ୱ ଦେଇ ନାହାନ୍ତି ।

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ପାଇଁ ବିଧାନସଭା ନିର୍ବାଚନର ତାରିଖ ଆସିଛି । ଜାତୀୟ ନିର୍ବାଚନ କମିସନ କହିଛନ୍ତି କେବଳ ୟୁପିରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟ ଓ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହେବ । ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ତାରିଖରେ ହେବ ଭୋଟ ଗ୍ରହଣ…

ଉତ୍ତରପ୍ରଦେଶ 

  • ୧୪ ମେ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
  • ୪୦୩ ଆସନ ପାଇଁ ଭୋଟ ଗ୍ରହଣ କରାଯିବ
  • ୭ଟି ପର୍ଯ୍ୟାୟରେ ମତଦାନ ହେବ
  • ପ୍ରଥମ ପର୍ଯ୍ୟାୟ ଫେବୃଆରୀ-୧୦ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ -ଫେବୃଆରୀ ୧୪, ତୃତୀୟ ପର୍ଯ୍ୟାୟ – ଫେବୃଆରୀ ୨୦, ଚତୁର୍ଥ ପର୍ଯ୍ୟାୟ- ଫେବୃଆରୀ ୨୩ -, ପଞ୍ଚମ ପର୍ଯ୍ୟାୟ-ଫେବୃଆରୀ ୨୭ , ମାର୍ଚ୍ଚ ୩ ତାରିଖରେ ଷଷ୍ଠ ଓ ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ  କରାଯିବ

ମଣିପୁର  

  • ୧୯ ମାର୍ଚ୍ଚ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
  • ୬୦ ଆସନ ପାଇଁ ହେବ ମତଦାନ
  • ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ
  • ଫେବୃଆରୀ ୨୭ ଓ ମାର୍ଚ୍ଚ ୩ ତାରିଖରେ ମତ ସାବ୍ୟସ୍ତ କରିବେ ଭୋଟର

ଉତ୍ତରାଖଣ୍ଡ 

  • ମାର୍ଚ୍ଚ ୨୩ ତାରିଖ ୨୦୨୨ରେ ସରିବ ବିଧାନସଭାର କାର୍ଯ୍ୟକାଳ
  • ୭୦ ବିଧାନସଭା ଆସନ ପାଇଁ ହେବ ଭୋଟ
  • ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖରେ ମତଦାନ

ଗୋଆ

  • ମାର୍ଚ୍ଚ ୧୫ ତାରିଖରେ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
  • ୪୦ବିଧାନସଭା ଆସନ ପାଇଁ ହେବ ମତଦାନ
  • ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖରେ ମତଦାନ

ପଞ୍ଜାବ

  • ମାର୍ଚ୍ଚ ୨୭ ତାରିଖ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
  • ୧୧୭ ଆସନ ପାଇଁ ମତଦାନ ହେବ
  • ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖରେ ମତଦାନ

ପୂର୍ବରୁ କରୋନା ସଂକ୍ରମଣ ବଢୁଥିବାରୁ ବିଧାନସଭା ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ ଦେଶର ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ । କିନ୍ତୁ କୋଭିଡ କଟକଣା ମାନି ସମସ୍ତଙ୍କୁ ସୁରକ୍ଷିତ ରଖି ନିର୍ବାଚନ କରିବାକୁ ନିଷ୍ପତି ନେଇଛନ୍ତି ନିର୍ବାଚନ କମିସନ । ଅନ୍ୟପଟେ ଦେଶରେ ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ଜାନୁଆରୀ ୧୫ତାରିଖ ଯାଏଁ ପ୍ରଚାର ଉପରେ କଟକଣା ଜାରି କରାଯାଇଛି । ପ୍ରଚାର ସଭା, ପଦଯାତ୍ରା, ବାଇକ-ସାଇକେଲ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଛି । ତେବେ ଜାନୁଆରୀ ୧୫ ପରେ କରୋନା ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ସମୟରେ ଭର୍ଚୁଆଲ, ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କୁ ପରାମର୍ଶ ଦିଆଯାଇଛି ।

ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ରାତି ୮ଟା ପରେ ନିର୍ବାଚନ ପ୍ରଚାର ବନ୍ଦ, ଘର ଘର ବୁଲି ପ୍ରଚାର କରିବା ପାଇଁ କେବଳ ୫ ଜଣଙ୍କୁ ଅନୁମତି ଦିଆଯାଇଛି । ଏସବୁ କଟକଣା ସତ୍ତେ୍ୱ କରୋନାର ଏହି ଦ୍ରୁତ ସଂକ୍ରମଣ ଭିତରେ ନିର୍ବାଚନ କରାଯିବା କେତେ ଠିକ୍, ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ।