କନକ ବ୍ୟୁରୋ : ଜାନୁଆରିରେ ଶୀତର ପ୍ରଭାବ କମିପାରେ । ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କୁହୁଡି ପାଇଁ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇପାରେ । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆସନ୍ତାକାଲି ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଜାନୁଆରି ୪ ଓ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୬ ଓ ୭ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୪ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।