କନକ ବ୍ୟୁରୋ: ଗାଁର ଶିକ୍ଷିତା ଝିଅ ଯେବେ ଗରିବୀର ଗାର ଡେଇଁ ଆଗକୁ ବଢ଼ିପାରେନି । ପରିବାରର ମେରୁଦଣ୍ଡ ବୋଲାଉଥିବା ବାପା ଯେବେ ରୋଗାଗ୍ରସ୍ତ ହୋଇପଡନ୍ତି । ସେତେବେଳେ କଲମ ଧରିଥିବା ହାତ ଧରିନିଏ ରେଞ୍ଚି ଆଉ ଛୁଞ୍ଚି । ସଂଘର୍ଷକୁ ସାମ୍ନା କରିବା ପାଇଁ ସମୟ ତାକୁ ସଜାଇ ଦିଏ ସାଇକେଲ ଓ ଛତା ମେକାନିକ୍ । କିଛି କାହାଣୀ ଆପଣଙ୍କୁ ନକହିଲେ ବି ଖାଲି ସେ କାହାଣୀର ଦୃଃଖ, ଦୁର୍ଦ୍ଦଶାର ଦୟନୀୟ ଦୃଶ୍ୟକୁ ଦେଖିଲେ ହିଁ ଅନୁଭବ କରିହୁଏ । ଜୀବନ ଜିଇଁବା ପ୍ରକୃତରେ କେତେ କଷ୍ଟ ଓ ସଂଘର୍ଷର ସଜ୍ଞା କ’ଣ ତାହା ଆଜି ସଙ୍ଗୀତାଙ୍କ କାହାଣୀରୁ ଜାଣିପାରିବେ...

Advertisment

ଭଦ୍ରକ ଭଣ୍ଡାରୀପୋଖରୀ ରାମଚନ୍ଦ୍ରପୁର ପଞ୍ଚାୟତ ପର୍ବତୀ ଗାଁର ସଙ୍ଗୀତା ବାରିକ । ରୋଜଗାରକ୍ଷମ ବାପା ଯେବେ ରୋଗାଗ୍ରସ୍ତ ହୋଇପଡିଲେ ସେବେଠୁ ତାଙ୍କ ପାଠ ପଢ଼ାରେ ବେଡ଼ି ଲାଗିଛି । ମାଆଙ୍କ ଔଷଧ ସହ ସାନ ଭାଇର ପାଠ ପଢ଼ା ଖର୍ଚ୍ଚ ଏବେ ସାଇକେଲ ଓ ଛତା ମରାମତି ଉପରେ ନିର୍ଭର କରୁଛି । କଷ୍ଟେ ମଷ୍ଟେ ଯାହା ବି ମିଳୁ ଗାଁ ମୁଣ୍ଡ ଛକରେ ସାଇକେଲ ଓ ଛତା ସଜାଡ଼ି ପୂରା ପରିବାର ପେଟ ପୋଷୁଛି +୨ ପଢ଼ିଥିବା ଝିଅ । କାହା ପାଖରେ ହାତ ନପତାଇ, ଦଇବ ଦେଇଥିବା ଦୁଃଖକୁ ଆପଣାଇ ଦମ୍ଭର ସହ ସାମ୍ନା କରୁଛି ସଙ୍ଗୀତା ।

ବାପା ବିଶ୍ୱମ୍ବର ବାରିକ, ଚର୍ମ ଜନିତ ରୋଗରେ ପୀଡ଼ିତ ହୋଇଥିବାବେଳେ ରୋଗୀଣା ଜେଜେ ମାଆର ମେଡିସିନ ବୋଝ ବି ସଙ୍ଗୀତା ସମ୍ଭାଳୁଛି । ଗତବର୍ଷ +୨ ଶେଷ କରିବା ପରେ ପାଠ ପଢ଼ିବାକୁ ଆହୁରି ଇଚ୍ଛା ଥିଲେ ବି ଭାଗ୍ୟ ନେଲା ଜୀବନ-ଯନ୍ତ୍ରଣାର ପରୀକ୍ଷା । ଗରିବୀ ସାଙ୍ଗକୁ ପରିବାର ସଦସ୍ୟଙ୍କ ରୋଗାଗ୍ରସ୍ତ ବୋଝ ତାକୁ ପାଠ ଛାଡ଼ିବାକୁ ବାଧ୍ୟ କରିଦେଲା । ସାଇକେଲ ଓ ଛତାର ମରାମତିର ଚାହିଦା ବି ବେଶ୍ କିଛି ନାହିଁ, ତେଣୁ ସରକାରଙ୍କ ରାସନ ସାମଗ୍ରୀ ପରିବାରର ଭୋକର ଭୂଗୋଳକୁ କେତେ ବା ବଦଳାଇବ?

ସଙ୍ଗୀତାଙ୍କ ଦୁଃଖ ଏତିକିରେ ସରିନି । କ’ଣ ଦୁଇ ମୁଠା ଖାଇଦେଲେ ଭୋକକୁ ଲୁଚେଇ ହେବ କିନ୍ତୁ ଭେକ ପାଇଁ ଦରକାର ଗୋଟେ ଘର । ଯାହାକି ଏହି ୫ ପ୍ରାଣୀ କୁଟୁମ୍ବଙ୍କ ଭାଗ୍ୟରେ ନାହିଁ, ମାଟି ଝାଟି ଘରେ ମୁଣ୍ଡ ଗୁଞ୍ଜିବା ସହ ସକରାରଙ୍କ ଶୁଭ ଦୃଷ୍ଟିକୁ ଚାହିଁ ବସିଛି ପୂରା ପରିବାର ।

ସତରେ ସଂଗୀତା ସଂଘର୍ଷର ସୀମାକୁ ପ୍ରତିଦିନ ମାପୁଛନ୍ତି । ପ୍ରଶାସନର ନଜର ପଡୁ କି ନପଡୁ ସେ କିନ୍ତୁ ନିଜ ଗୋଡ଼ରେ ଛିଡ଼ା ହୋଇ ଦୁନିଆକୁ ଦେଖାଇଛନ୍ତି । ଦୁଃଖ ଭିତରେ ଦମ୍ଭକୁ ନଦୋହଲାଇ ପରିବାରର ସବୁ ବୋଝକୁ ସାଇକେଲ ଓ ଛତା ତଳେ ସମ୍ଭାଳିଛନ୍ତି । ଏଭଳି ସାହାସୀ ଓ ଶିକ୍ଷିତା ଝିଅକୁ ଆମେ ସଲାମ୍ କରୁଛୁ ଆଉ ସରକାର ହୁଏତ ଏ ଖବର ଦେଖିଲେ ସହାୟତା କରିବେ ବୋଲି ଆଶା ରଖିଛୁ ।