ବିକଶିତ ରାଷ୍ଟ୍ରରେ ଖୋଲୁଛି ଅର୍ଥନୀତି, ଜୀବିକା ଉପରେ ବଢୁଛି ଗୁରୁତ୍ୱ । ଟିକାକରଣ ବଢ଼ିବା ସହ କମୁଛି କରୋନା ଭୟ

59

କନକ ବ୍ୟୁରୋ: କରୋନା କେବେ ଯିବ ତାହା କାହାକୁ ଜଣା ନାହିଁ । ଆଉ କେତୋଟି ଲହର ଆସିବ ତାହା ମଧ୍ୟ ଅଜଣା । ଏଭଳି ସ୍ଥିତିରେ ଏହି ଅଦୃଶ୍ୟ ଭୂତାଣୁ ସହ ଏକପ୍ରକାର ବଂଚିବା ନିଶ୍ଚିତ ହୋଇଯାଇଛି । ଏହାକୁ ନଜରରେ ରଖି ଜୀବନ ଓ ଜୀବୀକା ଭିତରେ ସମନ୍ୱୟ ରଖି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବିଶ୍ୱର ଏକାଧିକ ବିକଶିତ ରାଷ୍ଟ୍ର । କରୋନାକୁ ରୋକିବା ପାଇଁ ଅର୍ଥନୀତିକୁ ବେଶୀ ଦିନ ପର୍ଯ୍ୟନ୍ତ ବନ୍ଦ ରଖି ହେବ ନାହିଁ ବୋଲି ସେମାନେ ବୁଝିବା ସହ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ମାନଙ୍କୁ ନୂଆ ସନ୍ଦେଶ ଦେଉଛନ୍ତି । ଅଧିକରୁ ଅଧିକ ଟିକାକରଣ କରିବା ସହ ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେବା ଜରୁରୀ ହୋଇପଡିଛି ।

ଅଦୃଶ୍ୟ କରୋନା ଭୂତାଣୁ ସହ ବଂଚିବାକୁ ପଡିବ । ଏହା ପ୍ରାୟ ସ୍ପଷ୍ଟ ହେବା ପରେ ଜୀବନ ଓ ଜୀବୀକା ଭିତରେ ସମନ୍ୱୟ ରଖି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବିଶ୍ୱର ଏକାଧିକ ବିକଶିତ ରାଷ୍ଟ୍ର । ପ୍ରଥମ ଲହର ଓ ଦ୍ୱିତୀୟ ଲହରରେ ଜୀବନକୁ ଅଧିକ ଗୁରୁତ୍ୱ ଦେଇ ବିଶ୍ୱର ଏକାଧିକ ରାଷ୍ଟ୍ର ଲକଡାଉନ, ସଟଡାଉନ ଭଳି କଡା କଟକଣା ଲଗାଇଥିଲେ । ହେଲେ, ଏବେ ସମୟ ବଦଳୁଛି । ଅର୍ଥନୀତିକୁ ଗୁରୁତ୍ୱ ଦେବା ଆରମ୍ଭ କଲେଣି ବିଶ୍ୱର ଏକାଧିକ ବିକଶିତ ରାଷ୍ଟ୍ର ।

ମହାମାରୀ କରୋନାରେ ବିଶେଷଭାବେ ପ୍ରଭାବିତ ହୋଇଥିବା ବ୍ରିଟେନ୍ ଏବେ ସାରା ବିଶ୍ୱକୁ ନୂଆ ସନ୍ଦେଶ ଦେଇଛି । ଏଠାରେ ଦୈନିକ ସଂକ୍ରମଣ ସଂଖ୍ୟା ଅଧିକ ରହିଥିଲେ ବି ୟୁରୋ କପ୍ର ଆୟୋଜନ ହୋଇଛି । ଆଉ ଫୁଟବଲ ମ୍ୟାଚର ମଜା ନେଇଛନ୍ତି ହଜାର ହଜାର ଦର୍ଶକ । ଷ୍ଟାଡିୟମଠାରୁ ଆରମ୍ଭ କରି ରାସ୍ତାରେ ହୋସ ଉଡାଇଲା ଭଳି ଭିଡ ଦେଖିବାକୁ ମିଳିଛି । ଭୟରୁ ବାହାରି ପୁଣି ଥରେ ବ୍ରିଟେନ୍ ସ୍ୱାଭାବିକ ହେଉଛି ବୋଲି ବାର୍ତା ଦେବାକୁ ଚାହିଁଛନ୍ତି ସରକାର ।

ଇଂଲଣ୍ଡରେ ପାଖାପାଖି ୭୦ ପ୍ରତିଶତ ଲୋକ ଟିକାର ପ୍ରଥମ ଡୋଜ୍ ଓ ୫୨ ପ୍ରତିଶତ ଲୋକଙ୍କର ସଂପୂଣ୍ଣ ଟିକାକରଣ ହୋଇସାରିଲାଣି । ଟିକାକରଣ ଅଧିକ ହେଉଥିବାରୁ କରୋନା ସଂକ୍ରମଣ ବଢ଼ୁଥିଲେ ବି ମୃତ୍ୟୁ ସଂଖ୍ୟା ଓ ଗୁରୁତରଙ୍କ ସଂଖ୍ୟା କମ ରହୁଛି ବୋଲି କୁହାଯାଉଛି ।

କୋପା ଆମେରିକା କପ୍ ପାଇଁ ବି ସମାନ ଉତ୍ସାହ ଦେଖାଇ ଲାଟିନ ଆମେରିକାରେ ଆୟୋଜନ ହେଲା ଫୁଟବଲ ମ୍ୟାଚ୍ । ଅବଶ୍ୟ ଦର୍ଶକଙ୍କୁ ଅନୁମତି ନଥିଲା, କିନ୍ତୁ ମ୍ୟାଚ ଆୟୋଜନ କରି ବିଶ୍ୱର ଅନ୍ୟତମ ସମୃଦ୍ଧଶାଳୀ ଲାଟିନ ଆମେରିକାର ଏହି ଅଂଚଳର ବିଶ୍ୱକୁ ବାର୍ତା ଦେଉଥିଲା ଯେ, ଅର୍ଥନୀତିକୁ ଆଗକୁ ନେବାକୁ ହେବ । କାରଣ, ଏସବୁ ଟୁର୍ଣ୍ଣାମେଂଟ ବନ୍ଦ ହୋଇଗଲେ ଏକ ଅର୍ଥନୈତିକ କ୍ଷତି ହେବ ।

ସେହିପରି ଆଉ ଦିନ କେଇଟା ପରେ ଟୋକିଓରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ବ ଅଲିମ୍ପିକ୍ସ । ଏହି ମହାକୁମ୍ଭରେ ବିଶ୍ୱର ୨୦୬ଟି ରାଷ୍ଟ୍ରର ପ୍ରାୟ ୧୧ ହଜାର ୨୩୮ ଆଥଲେଟ୍ ଭାଗ ନେବେ । ଅଲିମ୍ପିକ୍ସରେ ମଧ୍ୟ ବିନା ଦର୍ଶକରେ ଆୟୋଜିତ ହେବ ଖେଳ । ସାରାବିଶ୍ୱ ଅନୁଭବ କରୁଛି କରୋନା ସହ ଆଗକୁ ବଢ଼ିବାକୁ ପଡିବ, ସ୍ଥିର ହୋଇଗଲେ ଚଳିବ ନାହିଁ ।

ଆସନ୍ତା ୧୯ରେ ବ୍ରିଟେନ୍ ବିଶ୍ୱକୁ ବାର୍ତା ଦେବା ପାଇଁ ଆଉ ଏକ ସାହାସିକ ପଦକ୍ଷେପ ନେବାକୁ ଯାଉଛି । କେବଳ କିଛି ସ୍ଥାନରେ ୧୯ ତାରିଖ ପରେ ମାସ୍କ ପିନ୍ଧିବାକୁ ପଡିପାରେ । ବ୍ରିଟେନ୍ ସରକାର, ଦୃଢ଼ତାର ସହ କହୁଛନ୍ତି ସେମାନେ ଏହି ନିଷ୍ପତିକୁ ଲାଗୁ କରିବେ ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ରାଷ୍ଟ୍ରମାନେ ଜନସଂଖ୍ୟାର ଏକ ବଡ ଅଂଶକୁ ଟିକା ଦେଇ ସାରିଛନ୍ତି । ତେଣୁ ଏବେ ସେମାନେ ସାହାସର ସହ ଏହି ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏହା ବି ସତ ଯେ କରୋନା ସହ ବଂଚିବାକୁ ଏବେ ଶିଖିବା ଦରକାର, ନହେଲେ, କରୋନା ନୁହେଁ ଦାରଦ୍ର୍ୟ ଜୀବନ ନେଇଯିବ ।