କନକ ବ୍ୟୁରୋ: ଆସନ୍ତାକାଲି ଆସିବ ରାଜ୍ୟ ବଜେଟ୍ । ଏହା ପୂର୍ବରୁ ବୁଧବାର ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟରେ ୨୦୨୩-୨୪ରେ ଓଡିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ଯାହାକି ଗତ ଥର ଅର୍ଥାତ ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା । ତେବେ ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହେଇପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଓଡିଶାର ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧ ଲକ୍ଷ ୬୧ ହଜାର ୪୩୭ ଟଙ୍କାରେ ପହଞ୍ଚିଛି । ଯାହାକି ଭାରତର ମୁଣ୍ଡପିଛା ଆୟଠାରୁ ୧୨.୪ ପ୍ରତିଶତ ଅଧିକ । ସେହିପରି ୨୦୧୫-୧୬ ପରଠାରୁ ଓଡିଶାର ମୁଣ୍ଡପିଛା ଆ୍ୟ ୧୨.୧ ପ୍ରତିଶତ ସିଏଜିଆରରେ ବୃଦ୍ଧି ପାଇଥିବାବେଳେ, ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡିଶା ୨୦୨୨-୨୩ରେ ୧୧ ତମ ସ୍ଥାନରେ ରହିଛି ।
#ଅର୍ଥନୈତିକ_ସର୍ଭେ_ରିପୋର୍ଟ_ଉପସ୍ଥାପିତ
ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ । ଓଡିଶାର ଅର୍ଥନୀତି ୮.୫ ଅଭିବୃଦ୍ଧି ହାସଲ ଆକଳନ । #EconomicSurveyReport #Odisha pic.twitter.com/6X677sg7SW— Kanak News (@kanak_news) July 24, 2024
ଅନ୍ୟପଟେ ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି । ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ସେହିପରି ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।