କନକ ବ୍ୟୁରୋ: ପ୍ରଥମେ ମହାନଦୀ ଏବଂ ବର୍ତମାନ ଏହାର ପ୍ରମୁଖ ଉପନଦୀ ଇବକୁ ଜଳଶୂନ୍ୟ କରିବା ପାଇଁ ଚକ୍ରାନ୍ତ କରୁଛି ଛତିଶଗଡ । ଇବ ନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ସଂପୂର୍ଣ୍ଣ ଭାବରେ ଇବନଦୀର ପାଣିକୁ ଅଟକାଇ ଦେଇଛି ଛତିଶଗଡ। ଯାହର ପ୍ରଭାବ ପଡିଛି ଦୁଇ ଜିଲ୍ଲା ସୁନ୍ଦରଗଡ ଓ ଝାରସୁଗୁଡା ଉପରେ। ବର୍ଷା ଦିନରେ ପାଣି ନାହିଁ, ଚାରିଆଡେ ଖାଲି ବାଲି ଆଉ ବାଲି। ପାଣିର ବନ୍ୟା ଜାଗାରେ ବାଲିର ବନ୍ୟା ହେଉଛି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍।
ମହାନଦୀ ଭଳି ଇବନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ପାଣି ଅଟକାଇ ଦେଇଛି ପଡୋଶୀ ରାଜ୍ୟ। ଛତିଶଗଡ ସମଡମା ଅଞ୍ଚଳର ଇବ ନଦୀ ଅକାତକାତ ପାଣି ମଝିରେ ରହିଛି ବନ୍ଧ। ଅନ୍ୟପଟେ ବାଲି ମରୂଭୂମିର ଭ୍ରମ ସୃଷ୍ଟି କରୁଛି ଓଡିଶା ପଟେ ଥିବା ଇବନଦୀ। ଛତିଶଗଡର ଗୁଲ୍ଲୁ ଠାରେ ହାଇଡ୍ରୋପାୱାର ପ୍ରୋଜେକ୍ଟ, ବେନେ ଠାରେ ଜଳସେଚନ ପ୍ରକଳ୍ପ ଆଉ ସୁନ୍ଦରଗଡ ସୀମାବର୍ତୀ ସମଡମା ଠାରେ ଆନିକଟ କରି ଇବନଦୀର ପାଣିକୁ ଅଟକାଇ ଦେଇଛି ଛତିଶଗଡ଼। ଫଳରେ ସୁନ୍ଦରଗଡ ଏବଂ ଝାରସୁଗୁଡା ସହିତ ହୀରାକୁଦ ଜଳଭଣ୍ଡାରର ପ୍ରଭାବିତ ହେବାର ଆଶଙ୍କା ରହିଛି । ଚାଷବାସ ସହ ପିଇବା ପାଣି ଟୋପାଏ ମିଳିବା ମୁସ୍କିଲ ହୋଇଯିବ।
ଓଡିଶା ପଟେ ଲୋକେ ପିଇବା ପାଣିକୁ ନେଇ ଲୋକେ ଚିନ୍ତାରେ ପଡିଥିବା ବେଳେ ଛତିଶଗଡର ଚାଷୀ ଇବିନଦୀ ପାଣିରେ ଚାଷବାସ କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି । ଇବନଦୀର ପାଣି ଉପରେ ସୁନ୍ଦରଗଡ ଜିଲ୍ଲାର ୫ ବ୍ଲକ, ସୁନ୍ଦରଗଡ ସହର ଏବଂ ଝାରସୁଗୁଡାବାସୀ ନିର୍ଭର କରିଥାନ୍ତି । ହେଲେ ପାଣିକୁ ଅଟକାଇ ଦେବା ଯୋଗୁଁ ସବୁ ଠପ୍ ହୋଇଯାଇଛି। ଗୁଲ୍ଲୁ ଠାରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଏବଂ ସମଡମା ଠାରେ ଆନିକଟ ନିର୍ମାଣ ପୂର୍ବରୁ ଏହି ଆଶଙ୍କା କରିଥିଲା କନକ ନ୍ୟୁଜ। ବାରମ୍ବାର ଖବର ପ୍ରସାରଣ କରି ଛତିଶଗଡର ଷଡଯନ୍ତ୍ର ଏବଂ ଦାଦାଗିରିର ପର୍ଦାଫାଶ କରିଥିଲା। ହେଲେ ସେତେବେଳେ ସରକାର କି ପ୍ରଶାସନ ଚେତିଲେ ନାହିଁ, ତେଣୁ ବର୍ତମାନ ସ୍ଥିତି ଭୋଗିବାକୁ ପଡୁଛି ।