ଶିମିଳିପାଳର ପୂର୍ବ ପାଦ ଦେଶରେ ଜଳୁଛି ନିଆଁ : ୧୦ରୁ ୧୨ଟି ସ୍ଥାନରେ ଭୟଙ୍କର ହେଲାଣି ପରିସ୍ଥିତି

ଗରମ ପବନ ସାଙ୍ଗକୁ ନିଆଁ ଝୁଲରେ ଅସ୍ତବ୍ୟସ୍ତ ଅଂଚଳବାସୀ; ବନ୍ୟଜନ୍ତୁ ପଶି ଆସିବା ଭୟରେ ପାହାଡ଼ ତଳିଆ ଗାଁଲୋକ

61

କନକ ବ୍ୟୁରୋ : ଶିମିଳିପାଳର ପୂର୍ବ ପାଦ ଦେଶରେ ଜଳୁଛି ନିଆଁ । ୧୦ରୁ ୧୨ଟି ସ୍ଥାନରେ ଭୟଙ୍କର ହେଲାଣି ପରିସ୍ଥିତି । ଗରମ ପବନ ସାଙ୍ଗକୁ ନିଆଁ ଝୁଲରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଂଚଳବାସୀ । ବନ୍ୟଜନ୍ତୁ ପଶି ଆସିବା ଭୟରେ ପାହାଡ଼ ତଳିଆ ଗାଁ ଲୋକ । ନିଆଁ କବଳରେ ଏବେ ଜୈବ ମଣ୍ଡଳ ଶିମିଳିପାଳ । ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ପୋଡାଡିହା ରେଂଜ ଅନ୍ତର୍ଗତ ଜେ.ଏସ. ଜାମଡିହା, ପୋଡାଡିହା, ଚକ୍ରଧରପୁର, ବଡଖମଣ ପଂଚାୟତ ଅଂଚଳରେ ୧୦ରୁ ୧୨ ଟି ସ୍ଥାନରେ ଲାଗିଛି ଭୟଙ୍କର ନିଆଁ ।

ସନ୍ଧ୍ୟା ହେଲେ ଶିମିଳିପାଳର କରାଳ ନିଆଁ ଦୁର ଦୁରାନ୍ତକୁ ଦୃଶ୍ୟମାନ ହେଉଛି । ହାତୀ ଧରା, ବେଗୁନାପଠା , ମାନିକପୁର , ଖନ୍ଡା ଚିରା ଡୁବିଗଡ, ଇଟାଗଡ, ଡିଗିସାହି, ପଥରଖଣି ଅଂଚଳରେ ନିଆଁ ବ୍ୟାପକ ହୋଇଥିବା ବେଳେ ଧୁଆଁର ଆସ୍ତରଣରେ ଢାଙ୍କି ହୋଇପଡିଛି ଅଂଚଳ । ନିଆଁ ଏବେ ଜନବସତି ଆଡକୁ ଆସୁଥିବା ବେଳେ କିଛି ଗାଁ ନିକଟସ୍ଥ ଜଙ୍ଗଲ ଏବେ ନିଆଁର କରାଳ ଆଁ ମଧ୍ୟରେ ରହିଛି । ଭୟରେ ନିଦ ହେଉ ନାହିଁ ଗାଁଲୋକଙ୍କୁ । ଅପରପକ୍ଷରେ ବନ୍ୟଜନ୍ତୁ କେଉଁ ମୁହୁର୍ତରେ ଗାଁକୁ ଆସିବେ ସେନେଇ ଭୟରେ ପାହାଡତଳିଆ ଗାଁ ବାସୀ ।