ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ ଓ ପାକିସ୍ତାନ: ହଜାରେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ଢେର ଅଧିକ

134

କନକ ବ୍ୟୁରୋ: ଘର କେଉଁଟା, ହସ୍ପିଟାଲ କେଉଁଟା ଚିହ୍ନି ହେଉନି । ସବୁ କିଛି ଛାରଖାର । ଘର କାନ୍ଥ ପଡି ବେଳେ କିଏ ଚାପି ହୋଇଯାଇଛି ତ ଆଉ କିଏ ଉଦ୍ଧାର ହୋଇ ନିଜ ସଂପର୍କୀୟଙ୍କୁ ଖୋଜୁଛି । ତ ଆଉ କେଉଁଠି ପୁରା ପରିବାର ମାଟି ତଳେ ଚାପି ହୋଇଯାଇଛନ୍ତି । ଦିନେ ତାଲିବାନଙ୍କ ଶାସନ ଆସିବା ମାତ୍ରେ ଲୋକମାନେ ଭୟରେ ଯେପରି ଏଣେ ତେଣେ ଦୌଡୁଥିଲେ ଏବେ ପ୍ରକୃତିର ତାଣ୍ଡବରେ ଲୋକେ ପ୍ରାଣ ବିକଳରେ ଏଣେ ତେଣୁ ଦୌଡୁଛନ୍ତି । ଭୂକମ୍ପର ତୀବ୍ରତା ୬.୧ ଥିବା ସୂଚନା ରହିଛି । ଯାହା ବଡ଼ ଧରଣର କ୍ଷତି ଘଟାଇଛି । ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପରେ ଦେଶରେ ବ୍ୟାପକ ଘର ଭୁଶୁଡି ପଡିଛି । ଅନେକ ଲୋକ ନିଖୋଜ ରହିଛନ୍ତି । ଆଉ ତାଲିବାନ ପ୍ରଶାସନ ହେଲିକପ୍ଟର ଜରିଆରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ରହିଛି ।

ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ଥାନର ପାଣିପାଗ ବିଭାଗ ଆକଳନ କରିଛି ଯେ ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୬.୧ ରହିଛି । ପାକିସ୍ତାନର ରାଜଧାନୀ ଇସଲାମାବାଦ ସମେତ ଅନେକ ସହରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓ ଗୁଡିକରେ ପାକିସ୍ତାନ ନିକଟ ପକ୍ତିକା ପ୍ରାନ୍ତରୁ ହେଲିକପ୍ଟର ଯୋଗେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ତାଲିବାନ ସରକାରଙ୍କ ଡେପୁଟି ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ ଏହି ଭୟଙ୍କର ଭୂକମ୍ପ ପକ୍ତିକା ପ୍ରଦେଶର ଚାରୋଟି ଜିଲ୍ଲାକୁ ପ୍ରଭାବିତ କରିଛି । ଏହି ବିପର୍ଯ୍ୟୟରେ ଦେଶର ଶତାଧିକ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ଆହତ ସଂଖ୍ୟା ମଧ୍ୟ ବଢିଛି ବୋଲି ଆଶା କରାଯାଉଛି ।

ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବିକ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ପାକିସ୍ତାନ ସୀମା ତଥା ଆଫଗାନିସ୍ତାନର ଖୋଷ୍ଟ ସହରଠାରୁ ୪୪ କିମି ଦୂରରେ ୫୧ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ରେକର୍ଡ଼ କରାଯାଇଛି । ଏହାର ପ୍ରଭାବରେ ଆଫଗାନିସ୍ତାନର ରାଜଧାନୀରେ ବହୁ କ୍ଷୟକ୍ଷତି ହୋଇଛି । ଅନ୍ୟପକ୍ଷରେ ପାକିସ୍ତାନର ୧୧୯ ମିଲିଅନ ଲୋକେ ଭୂକମ୍ପର ତୀବ୍ରତା ଅନୁଭବ କରିଛନ୍ତି ।

ଦୁଇ ଦଶନ୍ଧି ଧରି ଆମେରିକାର ଶକ୍ତି ବିରୋଧରେ ଲଢ଼େଇ ପରେ ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତାକୁ ଅକ୍ତିଆର କରିଥିଲା । କିନ୍ତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଇସଲାମିକ ଦେଶରେ ଭୂକମ୍ପ ହେବା ଦେଶବାସୀଙ୍କ ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦେବ ।