ଅଧାରେ ଅଟକିଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ। ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ।

103

କନକ ବ୍ୟୁରୋ: ଅଧାରେ ଅଟକିଗଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ । ଶ୍ରୀମନ୍ଦିର ସୂଚନାକେନ୍ଦ୍ର ନିକଟରେ ଏହାକୁ ଉଦଘାଟନ କରିଥିଲେ ଜିଲ୍ଳାପାଳ । ହେଲେ ଅନ୍ତିମ ମୁହୁର୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ ହୋଇଗଲା । ଅନୁରୂପ ଭାବରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବି ଗତ ୧୬ ତାରିଖରେ ଇ-ହୁଣ୍ଡିର ବ୍ୟବସ୍ଥା କରାଯାଇଥିଲା । ହେଲେ ବ୍ୟାଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାର ଏବେ ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନି । ମନ୍ଦିରରେ ଇ-ହୁଣ୍ଡି ସ୍ଥାପନ ପାଇଁ କେଉଁଠି ରହୁଛି ଅସୁବିଧା ତାକୁ ନେଇ ପ୍ରଶ୍ନ ଉଠିଛି ।

ଇ-ହୁଣ୍ଡି ବ୍ୟବସ୍ଥା ଉଦଘାଟନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଉଦଘାଟନ ସରିଥିଲେ, କ୍ୟୁଆର କୋର୍ଡ ସ୍କାନ୍ ଜରିଆରେ ଶ୍ରଦ୍ଧାଳୁ ଅନଲାଇନରେ ଦାନ କରିଥାନ୍ତେ । ହେଲେ ଉଦଘାଟନର ଠିକ୍ ପୂର୍ବରୁ ଅଟକି ଗଲା ପୁରା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପାଇଁ ଗଜପତି ମହାରାଜଙ୍କ ସ୍ୱୀକୃତି ଏବଂ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକତା ଥିବାରୁ ଏହାକୁ ବାତିଲ୍ କରିଦିଆଗଲା । ସୂଚନା ଅନୁସାରେ ଆସନ୍ତା ଛତିଷା ନିଯୋଗ ବୈଠକରେ ଏନେଇ ଆଲୋଚନା କରିବା ସହ ମତାମତ ନିଆଯିବ ।

ଇ-ହୁଣ୍ଡି ବ୍ୟବସ୍ଥା ହେଲେ ଶ୍ରଦ୍ଧାଳୁମାନେ ଅନଲାଇନ ଜରିଆରେ ସିଧାସଳଖ ଶ୍ରୀମନ୍ଦିରକୁ ଦାନ କରିପାରିବେ । ଏହି ଲକ୍ଷ୍ୟ ନେଇ ଏହା ଆରମ୍ଭ କରିବାର ଲକ୍ଷ୍ୟ ରହିଛି । ତେବେ ସମସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଥିଲେ ସୁଦ୍ଧା ଅନ୍ତିମ ମୁହୂର୍ତ୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ମଧ୍ୟ ଇ-ହୁଣ୍ଡି ବ୍ୟବସ୍ଥାର ଉଦଘାଟନ କରାଯାଇଥିଲା । ମନ୍ଦିର କର୍ତ୍ତୃପକ୍ଷ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିଲା । ହେଲେ ଏହି ଇ-ହୁଣ୍ଡି ବା କ୍ୟୁଆର କୋର୍ଡ ସ୍କାନର ବ୍ୟବସ୍ଥା ଏବେ ଲିଙ୍କରାଜ ମନ୍ଦିର ପରିସରରେ ଦେଖିବାକୁ ବି ମିଳୁନି ।

ଯୁଗ ଡିଜିଟାଲ ହେଉଛି । ଆଉ ଡିଜିଟାଲ ଯୁଗ ସହ ତାଳ ଦେଇ ଇ-ହୁଣ୍ଡି ବ୍ୟବସ୍ଥା କରାଯାଉଛି । ଦେଶର ବଡ଼ ବଡ଼ ମନ୍ଦିରରେ ଏହି ଇ-ହୁଣ୍ଡି ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ଓଡ଼ିଶାରେ କେଉଁଠି କ’ଣ ଅସୁବିଧା ରହିଯାଉଛି ଯେ, ତାହ ଅଧାବାଟରେ ଅଟକି ଯାଉଛି ।