ଆସନ୍ତାକାଲି ଠାରୁ ପୁରା ଦେଶରେ କରୋନା ଭ୍ୟାକସିନର ଡ୍ରାଏ ରନ୍ । ଟିକାକରଣ ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

107

କନକ ବ୍ୟୁରୋ : ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନପେରନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଆଲୋଚନା ପରେ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି ଟିକାକରଣ ପ୍ରାରମ୍ଭରେ କୋଭିଡ୍ ଯୋଦ୍ଦା ମାନଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ଟିକା ପ୍ରସ୍ତୁତରେ ସାମିଲ ହୋଇଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ସେ ସଲାମ୍ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି କରୋନା କଟକଣା ଠାରୁ ଆରମ୍ଭ କରି ଭ୍ୟାକସିନ ପ୍ରସ୍ତୁତ ପର୍ଯ୍ୟନ୍ତ ଆମକୁ ଅନେକ ବନ୍ଧୁର ପଥ ଅତିକ୍ରମ କରି ସାରିଛୁ । ଭାରତରେ ପାଖା ପାଖି ୩୦ ଟି କମ୍ପାନୀ ଭ୍ୟାକସିନ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ତାହା ମଧ୍ୟରୁ ୭ କମ୍ପାନୀର ଭ୍ୟାକସିନ ଟ୍ରଏଲ ଫେଜରେ ରହିଛି । ଯାହା ମଧ୍ୟରୁ ୨ ଟି ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ଏହି ୨ ଟି ଟିକାକୁ ଲୋକଙ୍କ ପାଖରେ ଖୁବଶୀଘ୍ର ପହଂଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । ଏନେଇ ଆସନ୍ତାକାଲି ଠାରୁ ପୁରା ଦେଶରେ ଡ୍ରାଏ ରନ୍ ଆରମ୍ଭ କରାଯିବ ।

ଡ.ହର୍ଷବର୍ଦ୍ଧନ କହିଛନ୍ତି କି ପ୍ରଥମେ ୨୮ ଓ ୨୯ ଡିସେମ୍ବରେ ୪ ଟି ରାଜ୍ୟରେ ଡ୍ରାଏ ରନ୍ କରାଇଥିଲୁ । ଏହାପରେ ଜାନୁଆରୀ ୨ ତାରିଖରେ ଦେଶର ସମସ୍ତ ରାଜ୍ୟର ୨୮୫ ଜିଲ୍ଲାରେ ଡ୍ରାଏ ରନ୍ କରାଯାଇଥିଲା । ଏହାସହ ଆସନ୍ତା କାଲି ଦେଶର ୩୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ (ହରିଆଣା, ହିମାଞ୍ଚଳ ଓ ଅରୁଣାଚଳ ପ୍ରଦେଶ ବ୍ୟତିତ) ରେ ଡ୍ରାଏ ରନ୍ କରାଯିବ । କହିରଖୁ କି ଗୁଜୁରାଟ୍, ପଞ୍ଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ଡ୍ରାଏ ରନକୁ ନେଇ ଭଲ ଫଳାଫଳ ସାମ୍ନାକୁ ଆସିଥିଲା । ଏହାପରେ ସରକାର ପୁରା ଦେଶରେ ଡ୍ରାଏ ରନ୍ କରାଇବାକୁ ନିଷ୍ପତ୍ତି ନେଇଥିଲେ । ଡ୍ରଗ୍ସ ସଂପର୍କିତ ସରକାରୀ ପରିଚାଳନା ସଂସ୍ଥା ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କୁ ଜରୁରୀ କାଳୀନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଡିସିଜିଆଇ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନକୁ ବି ମଞ୍ଜୁରୀ ଦେଇଛନ୍ତି । ଭାରତ ସରକାର ଆସନ୍ତା ସପ୍ତାହରେ ଦେଶରେ ଟିକାକରଣ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ।