ମହାମାରୀରେ ଔଷଧ ମାଫିଆ ସକ୍ରିୟ । ଉତରାଖଣ୍ଡରେ ନକଲି ରେମଡ଼ିସିଭିର କାରଖାନା ଉପରେ ଦିଲ୍ଳୀ କ୍ରାଇମବ୍ରାଂଚର ଚଢାଉ ।

97

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ବି ଜୀବନ ସହ ଚାଲିଛି ସାଂଘାତିକ ଖେଳ । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ । ଏଭଳି ଏକ ସାଂଘାତିକ ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଂଚ୍ ।

ଉତରାଖଣ୍ଡର କୋଟଦ୍ୱାରରେ ଏକ ଔଷଧ ଫ୍ୟାକ୍ଟ୍ରିରେ ନକଲି ରେମଡିସିଭିର ଔଷଧ ତିଆରି କରାଯାଉଥିବାବେଳେ ଏହା ଉପରେ ଚଢାଉ କରିଛି ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୯୬ଟି ରେମଡିସିଭିର ଇଂଜେକ୍ସନ ଜବତ ହୋଇଛି । ସେହିପରି ଇଂଜେକ୍ସନ ଭର୍ତି କରିବାକୁ ୩ ହଜାର ଖାଲି ଭାଇଲ ବା ଶିଶି ମଧ୍ୟ ଜବତ ହୋଇଛି । ଦିଲ୍ଲୀ ପୋଲିସ କମିଶନରଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଥିଲା ।

ପୋଲିସର କହିବା ହେଲା ଗୋଟିଏ ରେମଡିସିଭିର ଇଂଜେକ୍ସନକୁ ଏମାନେ ୨୫ ହଜାର ଟଙ୍କାରେ ବିକ୍ରି କରୁଥିଲେ । ନକଲି ଇଂଜେକ୍ସନ ବିକ୍ରି ସରିଥିବାରୁ ଏହା କେଉଁମାନଙ୍କୁ ବିକ୍ରି ହୋଇଛି ଓ ଏଥିରେ ଆଉକେଉଁମାନେ ସଂପୃକ୍ତ ସେନେଇ ପୋଲିସ ଖୋଳତାଡ ଚଳାଇଛି ।