କନକ ବ୍ୟୁରୋ:  ଲୁଟେରା ଗ୍ୟାଙ୍ଗ କଟକରୁ ଟ୍ରକ ସହ ଚାଳକକୁ ଅପହରଣ କରି ମୟୂରଭଞ୍ଜ ଜିଲ୍ଲାରେ ଛାଡି ଚାଲିଗଲେ । ଏଥି ସହିତ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟି ନେଇଗଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ କାଦୁଆଲବନ୍ଧ ଅଞ୍ଚଳରେ ।

Advertisment

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରାଜ୍ୟର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଦ୍ୱାରା ଏକ ମାଛ ଭର୍ତ୍ତି ଟ୍ରକ ଜୁନ ୧୭ରେ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାକୁ ଆସୁଥିଲା । ଉକ୍ତ ଟ୍ରକର ଚାଳକ ହେଉଛନ୍ତି ହରିୟାଣା ରାଜ୍ୟର ମେୱଟ ଅଞ୍ଚଳର ଅମୀର ଖାନ । ଜୁନ ୧୮ରେ କଟକର ମଙ୍ଗୁଳି ଟୋଲଗେଟ୍ ନିକଟରେ ଟ୍ରକକୁ ପାର୍କିଂ କରିଥିବା ବେଳେ ହଠାତ ଲୁଟେରା ଗ୍ୟାଙ୍ଗର ୩ରୁ ୪ଜଣ ଟ୍ରକ ଭିତରକୁ ପଶି ଆସିଥିଲେ । ଟ୍ରକ୍ ଚାଳକ ଅମୀରଙ୍କୁ ମାଡ଼ ମାରିବା ସହ ଅପହରଣ କରିନେଇଥିଲେ । ଆଉ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟିନେଇଥିଲେ । ୧୯ ତାରିଖରେ ଟ୍ରକ ସହ ଚାଳକକୁ ଆଣି କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଯାଇଥିଲେ ଦୁର୍ବୃତ୍ତ । ଟ୍ରକ ଭିତରେ ଥିଲେ ଚାଳକ ଅମୀର ଖାନ୍ । ଲୋକେ ଅମୀରଙ୍କୁ ଉଦ୍ଧାର କରିବା ପରେ ପୁଲିସକୁ ଖବର ଦେଇଥିଲେ । ବଡ଼ସାହି ଥାନା ପୁଲିସ ପହଁଚି ଚାଳକଙ୍କୁ ପଚରାଉଚରା କରି ଟ୍ରକ ମାଲିକଙ୍କୁ ଘଟଣା ବାବଦରେ ଖବର ଦେଇଛନ୍ତି । ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ପ୍ରୟାସ ଜାରି ରଖିଛି ।