କନକ ବ୍ୟୁରୋ: ପ୍ରତିଶୋଧ ପାଇଁ ଜାଳିଦେଲେ ଗାଡି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ନିଶାରେ ରହୁଥିବାରୁ ଡ୍ରାଇଭରଙ୍କୁ ବାହାର କରିଦେଇଥିଲେ ମାଲିକ । ଆଉ ଏଥିରେ ପ୍ରତିଶୋଧପରାୟଣ ହୋଇ ଏଭଳି କାଣ୍ଡ କରିଛି ଡ୍ରାଇଭର । ସିସିଟିଭି ଆଧାରରେ ଗିରଫ ହେବା ପରେ ପୁଲିସ ଆଗରେ ସତ ବଖାଣିଛି ଅଭିଯୁକ୍ତ ଡ୍ରାଇଭର ।

Advertisment

୧୯ ଫେବୃୟାରୀ ୨୦୨୪ । ସମୟ- ରାତି ୩ଟା ୨୨ । ସ୍ଥାନ - ଖଣ୍ଡଗିରି ଥାନା ଅଧିନ କ୍ରିଷ୍ଣା ଗାର୍ଡେନ ଫେଜ- ୨ । ମୁହଁରେ କଳା ମୁଖା ପିନ୍ଧି ପାଚେରୀ ଡେଇଁ ଘର ଭିତରକୁ ପଶିଲା । ମାତ୍ର କେଇ ସେକେଣ୍ଡ ପରେ, ସାଙ୍ଗରେ ଆଣିଥିବା ବିସ୍ଫୋରକରେ ନିଆଁ ଲଗାଇଲା । ଆଉ କିଛି ବୁଝିବା ଆଗରୁ ଗ୍ୟାରେଜ ପାର୍କିଂରେ ଥିବା ଏକ ବାଇକ ଓ କାରରେ ନିଆଁ ଲଗାଇଦେଲା । ପଡୋଶୀ ମାନେ ଘରୁ ବାହାରକୁ ଆସି ଯାଇଥିଲେ । ଜଳି ପୋଡି ପାଉଁଶ ହୋଇଯାଇଛି ଗାଡି ମୋଟର । ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ, ଘରର ମୁଖ୍ୟ କବାଟ, ଚଉକାଠ ଏବଂ ପାଖରେ ଥିବା ଫୁଲକୁଣ୍ଡଠୁୁ ଆରମ୍ଭ କରି ସବୁ କିଛି ଛାରଖାର ହୋଇଯାଇଛି । ଠିକ ସମୟରେ ନିଆଁ ଲିଭା ନଯାଇଥିଲେ ଏକ ବଡ ଅଘଟଣ ଘଟିଥାନ୍ତା ବୋଲି କହିଛନ୍ତି ଘର ମାଲିକ ।

ଅଭିଯୁକ୍ତ ଡ୍ରାଇଭର ଅବଦୁଲ ହାକିମ । ୨୪ ଘଂଟା ନିଶାରେ ଚୁର ହୋଇ ରହୁଥିବା ଏହି ଅଭିଯୁକ୍ତ ପୁଲିସ ଆଗରେ ଗୋଟି ଗୋଟି କରି ବଖାଣିଛି ଅଗ୍ନିକାଣ୍ଡ ପଛର କାରଣ । ନିଶାଶକ୍ତ ଅବସ୍ଥାରେ ଗାଡି ମାଲିକ ଅଜିତଙ୍କ ପତ୍ନୀଙ୍କୁ ନେବା ଆଣିବା ସମୟରେ ସେ ବାରଣ କରିଥିଲେ । ଆଉ ବାଚାଳାମି ଯୋଗୁ ପ୍ରାୟ ସାଢେ ୪ ବର୍ଷ ପରେ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ । ଚାକିରିରୁ ବାହାର କରିବାରୁ ଅଭିଯୁକ୍ତ ଜଣକ ରାତି ଅଧରେ କାର ଓ ବାଇକ ଜାଳି ଦେଇଥିବା ପୁଲିସ ଆଗରେ ସ୍ୱିକାର କରିଛି ।

ନିଶାଡି ଡ୍ରାଇଭରର ଏଭଳି କାଣ୍ଡକୁ ନେଇ ସାରା ରାଜଧାନୀରେ ଚାଂଚଲ୍ୟ ଖେଳି ଯାଇଛି । ଆଉ ଜଣେ ନିଶାଡି କିଭଲି ପ୍ରତିଶୋଧ ପରାୟଣ ହୋଇପାରେ, ଏହା ହେଉଛି ତାର ଉଦାହରଣ ।