ଅଧପନ୍ତରିଆ ହୋଇ ପଡିଛି ପାନୀୟ ଜଳ ପ୍ରକଳ୍ପ । ଅବଧି ସରିଥିଲେ ବି ଅଧାରେ ପଡିଛି ୬ଶହ କୋଟିର ପ୍ରକଳ୍ପ କାମ ।

71

କନକ ବ୍ୟୁରୋ: ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବାକୁ ହୋଇଥିଲା ମେଗା ଜଳ ପ୍ରକଳ୍ପ । ଏନେଇ ବ୍ୟୟବରାଦ ହେବା ସହ କାମ ବି କରାଯାଇଥିଲା । ହେଲେ ଏବେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ନାଁ ନେଉନି । ଅଧାପନ୍ତରିଆ ହୋଇ ପଡିରହିଥିବା ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ ଓ ଲୋକଙ୍କୁ କେବେ ମିଳିବ ପାଣି ଚାହିଁ ବସିଛନ୍ତି ଲୋକମାନେ । ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି କେନ୍ଦ୍ର ସରକାର ଜଳ ଜୀବନ ମିଶନ ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ନିର୍ମାଣ ହୋଇଥିଲା ଏହି ମେଗା ଜଳ ଯୋଗାଣ ପ୍ରକଳ୍ପ ।

ରାୟଗଡା-କାଶୀପୁର ପାଇଁ ୨୯୮ କୋଟି ଟଙ୍କା,କୋଲନରା-ରାମନାଗୁଡା ପାଇଁ ୧୦୫ କୋଟି, ବିଷମକଟକ-ଗୁଣୁପୁର ପାଇଁ ୧୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କାଶୀପୁରର ରାଉଲଘାଟି ଠାରେ ଟ୍ରିଟମେଟଂ ପ୍ଲାଣ୍ଟ କରାଯାଇ ପାଣି ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ହେଲେ କାର୍ଯ୍ୟ ସମୟସୀମା ଶେଷ ହୋଇଯାଇଥିଲେ ମଧ୍ୟ ଏହା ଅଧାପନ୍ତରିଆ ହୋଇ ପଡିରହିଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

ରାୟଗଡା ଜିଲ୍ଲାର ୪ଟି ପଞ୍ଚାୟତର ୪୯ଟି ଗାଁ ଏବଂ କାଶୀପୁର ବ୍ଳକର ୨୪ଟି ପଞ୍ଚାୟତର ୪୧୮ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୯୮ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ୨ ନଭେମ୍ବର ୨୦୨୩ ରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ରାୟଗଡା ଓ କାଶୀପୁର ବ୍ଳକର ସମୁଦାୟ ୨୮ଟି ପଞ୍ଚାୟତର ୩୫ ହଜାର ୦୭ ଘରକୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେହିଭଳି ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ପାନୀୟ ଜଳ ଯୋଗଇବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ବି କାମ ପୁରା ହୋଇପାରୁନି । ପ୍ରତିଥର କେବଳ ପ୍ରତିଶ୍ରୁତି ଦିଆଯାଇ ସରିଯାଉଛି କାମ ।

ପ୍ରଚଣ୍ଡ ଖରାରେ ଟୋପାଏ ପାଣି ପାଇଁ ଲୋକେ ଆଉଟୁପାଉଟୁ ହୋଇଥିବା ବେଳେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପରୁ ୩ଟିର ସମୟ ସିମା ସରିଯାଇଥିଲା ବେଳେ ଏହା କେବେ କାର୍ଯ୍ୟକାରି ହୋଇ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ ତାକୁ ଲୋକଙ୍କ ରହିଛି ଅପେକ୍ଷା ।