ସାକାର ହେଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ୱପ୍ନ । ଦୀର୍ଘ ଦିନ ପରେ ଲୋକଙ୍କ ଘରେ ଜଳିଲା ବିଜୁଳି ଆଲୁଅ

294

କନକ ବ୍ୟୁରୋ: ଶିମିିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ବାସିନ୍ଦାଙ୍କ ପାଇଁ ଖୁସି ଖବର । ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୫ ବର୍ଷ ପରେ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁଳି ଆଲୋକ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଆନୁଷ୍ଠାନିକ ଭାବେ ଏହାର ଲୋକାର୍ପଣ କରିଛନ୍ତି । ଅଭୟାରଣ୍ୟର ଅସ୍ତକୁମର, ଗୁଡ଼ଗୁଡ଼ିଆ, ବରେଇପାଣି ଗ୍ରାମ ପଞ୍ଚାୟତର ୪୨ଟି ଗାଁରେ ବିଜୁଳି ଆଲୋକ ପହଞ୍ଚିଛି । ଯେଉଁଥିରେ ଉପକୃତ ହେବେ ୫ହଜାର ୯ଶହ ପରିବାର ।

ସୋଲାର ମାଇକ୍ରୋ ଗ୍ରୀଡ ସ୍ଥାପନ କରାଯାଇ ସେଥିରୁ ପ୍ରତ୍ୟେକ ଘରକୁ ଖୁଣ୍ଟ ସାହାଯ୍ୟରେ ବିଜୁଳି ଯୋଗାଇ ଦିଆଯାଉଛି । ଅନ୍ୟପଟେ ଯେଉଁ ଘର ଜନବସତି ଠାରୁ ଦୂରରେ ରହିଛି ସେ ଘରକୁ ବ୍ୟକ୍ତିଗତ ଭାବେ ସୋଲାର ପ୍ୟାନେଲ ସଂଯୋଗ ଦ୍ୱାରା ବିଜୁଳି ଯୋଗାଇ ଦିଆଯାଉଛି ।

ତେବେ ସୋଲାର ମାଇକ୍ରୋ ଗ୍ରୀଡ଼ ବ୍ୟବସ୍ଥା ରାଜ୍ୟରେ ପ୍ରଥମ କରି ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଭାବେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ମୋଟ ୧୮ଟି ମାଇକ୍ରୋ ଗ୍ରୀଡ଼ରେ ଖର୍ଚ୍ଚ ହୋଇଛି ୩୦ କୋଟି ଟଙ୍କା । ବିଶେଷକରି ପାହାଡ଼ ପର୍ବତ ଓ ଅପହଞ୍ଚ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ଏଭଳି ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ ଅଧିକାଂଶ ହିତାଧିକାରୀଙ୍କ ପାଖରେ ସମ୍ପୂର୍ଣ୍ଣ ପ୍ରକଳ୍ପର ଲାଭ ପହଞ୍ଚିପାରିନାହିଁ । ତେଣୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ପରିବାରକୁ ବିନା ମୂଲ୍ୟରେ ୮୦ ୱାଟ୍ ବିଜୁଳି ଯୋଗାଇଦେବାରୁ ବ୍ୟବସ୍ଥା କରିଛନ୍ତି ସରକାର । ଅନ୍ଧାରି ମୁଲକରୁ ଆଲୋକ ଦେଖିବା ପରେ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।