ଗାଁରେ ପହଞ୍ଚି ପାରିନି ସରକାରଙ୍କ ମେଗା ଜଳ ଯୋଗାଣ ପ୍ରକଳ୍ପ । ସ୍ୱପ୍ନ ପାଲଟିଛି ବସୁଧା ଯୋଜନାରେ ବିଶୁଦ୍ଧ ଜଳ

63

କନକ ବ୍ୟୁରୋ: ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବିଫଳ ସରକାର । ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ମେଗା ଜଳ ଯୋଗାଣ ପ୍ରକଳ୍ପ କି ବସୁଧା ଯୋଜନା । ତେଣୁ ପିଢି ପରେ ପିଢି ଅଭିନବ ଉପାୟରେ ଝରଣା ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ । ବାଉଁଶ ଫାଳ ଲଗାଇ ପାଣି ସଂଗ୍ରହ କରୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ପିଶୁପଦର ଓ ଜାରଗୀପଦର ଗ୍ରାମବାସୀ । ଏହି ଦୁଇଟି ଗାଁରେ ଦୁଇଟି ନଳକୂପ ଏବଂ ଗୋଟିଏ ପରିତ୍ୟକ୍ତ ଗଭୀର କୂଅ ରହିଛି । ନଳକୂପ ଗୁଡିକ ଏକ ପ୍ରକାର ଅଚଳ, ତେଣୁ ଗ୍ରାମବାସୀ ପାନୀୟ ଜଳ ମୁନ୍ଦାଏ ପାଉନାହାନ୍ତି । ଏଭଳି ସ୍ଥିତିରେ ପାହାଡିଆ ଝରଣା ପାଣିରେ ଲୋକଙ୍କ ଶୋଷ ମେଣ୍ଟୁଛି ।

ବର୍ଷ ତମାମ ବାଉଁଶ ଫାଳିଆ ସାହାଯ୍ୟରେ ଝରଣା ପାଣିକୁ ସଂଗ୍ରହ କରି ପିଉଛନ୍ତି । ଝରଣା ପାଣିର ସ୍ରୋତ ମହୁଁରେ ବାଉଁଶ ଫାଳିଆକୁ ସଂଯୋଗ କରିଛନ୍ତି ଗ୍ରାମବାସୀ । ସେହି ବାଉଁଶ ଫାଳିଆ ଦେଇ ବହି ଆସୁଥିବା ପାଣିକୁ ହାଣ୍ଡି, ଡିକିଚି ଓ ବାଲଟିରେ ଭର୍ତ୍ତି କରି ନେଉଛନ୍ତି ଲୋକେ । କିନ୍ତୁ ବର୍ଷାଦିନେ ଝରଣା ପାଣି ସଂଗ୍ରହ କରିବାରେ ବହୁ ଅସୁବିଧା ଭୋଗିବାକୁ ପଡୁଛି । କାରଣ ଝରଣାରେ ବର୍ଷା ପାଣି ମିଶିବାରୁ ପାଣି ଗୋଳିଆ ହୋଇଯାଉଛି । ଏହାସହ ଅତ୍ୟଧିକ ବର୍ଷା ହେଲେ ପାହାଡିଆ ନାଳରେ ପାଣି ପ୍ରବାହିତ ହେଉଛି । ଫଳରେ ଗ୍ରାମବାସୀ ନାଳ ଭିତର ଦେଇ ଝରଣା ପାଣି ଆଣିବା ପାଇଁ ଯାଇପାରୁନାହାନ୍ତି । ତେଣୁ ଘରେ ପାଣି ଗଚ୍ଛିତ କରି ରଖିଥିବା ପାଣିରେ ଚଳିବା ପାଇଁ ଚେଷ୍ଟା କରିଥାନ୍ତି । ପରେ ପାହାଡି ନାଳ ପାଣି କମିବା ପରେ ପୁଣି ଝରଣା ପାଣି ସଂଗ୍ରହ କରିଥାନ୍ତି । ଜଳ ଯନ୍ତ୍ରଣା ଭୋଗୁଥିବା ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବି.ଡି.ଓ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଛନ୍ତି । ହେଲେ କେହି ସେମାନେ କଥା ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି ।