ସୀମା ଟପିଲା ଡ୍ରାଗନ୍ ସେନା । ଭାରତ-ଚୀନ ସେନା ମୁହାଁମୁହିଁରେ ୨୦ ଯବାନ ସହିଦ, ଚୀନର ୪୩ ମୃତ : ସେନା କହିଲା, ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ପ୍ରତିବଦ୍ଧ

783

କନକ ବ୍ୟୁରୋ : ଭାରତ-ଚୀନ୍ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୫ ଏବଂ ୧୬ ତାରିଖ ରାତିରେ ପୂର୍ବ ଲଦାଖ ସୀମାରେ ଭାରତୀୟ ସୀମାରେ ବଳପୂର୍ବକ ପଶି ଆସିଥିବା ବେଳେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଆଉ ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଚୀନର ୪୩ ଜଣ ଯବାନ ମୃତାହତ ହୋଇଛନ୍ତି । ତେବେ ଚୀନ ସେନାର ଯବାନଙ୍କ ମୃତ୍ୟୁ ନେଇ କୌଣସି ସୂଚନା ଦେଇ ନାହିଁ । ଭାରତୀୟ ସେନା ଦେଇଥିବା ସୂଚନା ଅନୁସାରେ-୧୫ ଏବଂ ୧୬ ତାରିଖ ରାତିରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ । ସେହି ସମୟରେ ୧୭ ଭାରତୀୟ ଜବାନ ଗୁରୁତର ହୋଇଥିଲେ । ପ୍ରତିକୂଳ ପରିବେଶ ଘାତକ ହୋଇଥିଲା ।

ତେବେ ପୁରା ଘଟଣାରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି । ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ଭାରତ ବଦ୍ଧ ପରିକର ବୋଲି ସେନା ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ସେହିପରି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି- ପୂର୍ବ ଲଦାଖ ସୀମାରେ ଏକଚାଟିଆ ଭାବେ ଚୀନ ସେବା ନିୟମର ଉଲଂଘନ କରି ଭାରତୀୟ ସୀମାରେ ପଶି ଆସିବା କାରଣରୁ ହିଂସାକାଣ୍ଡ ଘଟିଛି । ଉଭୟ ପକ୍ଷର ଯବାନ ଆହତ କିମ୍ବା ମୃତାହତ ହୋଇଛନ୍ତି । ଉଚ୍ଚସ୍ତରୀୟ ବୈଠକ ଅନୁସାରେ ଚୀନ ପଦକ୍ଷେପ ଗ୍ରହଣ କରିଥିଲେ ଏଭଳି ଏକ ହିଂସକାଣ୍ଡକୁ ଏଡ଼ାଇ ଦିଆଯାଇ- ପାରିଥାନ୍ତା । ଭାରତ ଦାୟିତ୍ୱବାନ ହୋଇ ନିଜ ସୀମାରେ ଗତିବିଧି କରିଛି ଏବଂ ଚୀନ ମଧ୍ୟ ଏହା ପାଳନ କରିବା ଆବଶ୍ୟକ । ଭାରତ-ଚୀନ ଉତେଜନା ଭିତରେ ପ୍ରାୟ ୪ ଦଶନ୍ଧୀ ପରେ ଏଭଳି ହିଂସାକାଣ୍ଡ ଘଟିଛି ଯେଉଁଥିରେ ଯବାନ ସହିଦ ହୋଇଛନ୍ତି । ତେବେ ଭାରତ ନିଜର ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ପ୍ରତିବନ୍ଧ ରହିଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ସେପଟେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି- ସୋମବାର ଦିନ ଭାରତୀୟ ଯବାନମାନେ ବେଆଇନ ଭାବେ ଦୁଇ ଦୁଇ ଥର ଚୀନ୍ ସୀମାରେ ପ୍ରବେଶ କରିଥିଲେ । ଏବଂ ଚୀନ୍ ସେନାର ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ଯବାନଙ୍କୁ ରୋକିବାକୁ ଯାଇ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୃଷ୍ଟି ହୋଇଥିବା ଉତେଜନାକୁ ଶାନ୍ତ କରିବା ପାଇଁ ଉଭୟ ଦେଶ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର । ତେବେ ଦୀର୍ଘ ସମୟ ଧରି ହୋଇଥିବା ଏହି ମୁହାଁମୁହଁରେ ଗୁଳିମାଡ଼ ହୋଇନାହିଁ । ଚୀନ ସେବା ପଥର ଓ ଲୁହା ରଡ଼ ସାହାର୍ଯ୍ୟରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲା । ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ-ଚୀନ୍ ସୀମାରେ ଉତେଜନା ଘଟଣାରେ ଯବାନ ସହିଦ ହୋଇଛନ୍ତି ।