ମୋହନାରେ ଭୂତକୋଠି ପାଲଟିଛି ଛାତ୍ରୀନିବାସ। ନିମ୍ନମାନର ନିର୍ମାଣ ଯୋଗୁଁ ସୁରକ୍ଷିତ ମଣୁନାହାନ୍ତି ଆଦିବାସୀ ଛାତ୍ରୀ।

62

କନକ ବ୍ୟୁରୋ: କୋଟି କୋଟି ଟଙ୍କାରେ କୋଠା ନିର୍ମାଣ ହୋଇଛି, କିନ୍ତୁ କାମରେ ଆସୁନି । ଫଳରେ ଭୂତକୋଠି ପାଲଟିଛି ଛାତ୍ରୀ ନିବାସ । ଗଜପତି ଜିଲ୍ଲା ମୋହନା ବ୍ଲକ ହିଲଟପ ମହାବିଦ୍ୟାଳୟରେ ଆଦିବାସୀ ଛାତ୍ରୀଙ୍କ ରହଣି ପାଇଁ ଏହି ଛାତ୍ରୀ ନିବାସଟି ତିଆରି ହୋଇଛି । ୨୦୧୬ରୁ ୨ ଶହ ଶଯ୍ୟା ବିଶିଷ୍ଟ ଏହି କୋଠା ନିର୍ମାଣ ହୋଇଛି । ହେଲେ ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ ।

ଆଜି ବି ହଷ୍ଟେଲରେ ତାଲା ଝୁଲୁଛି । ହଷ୍ଟେଲରେ ନିମ୍ନମାନର କାମ ଯୋଗୁଁ ଏଠାରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି ଛାତ୍ରୀ । ତେଣୁ ଏହା ଭୂତକୋଠି ପାଲଟିଛି । ଅଧିକାଂଶ  ସ୍ଥାନରେ କାନ୍ଥ ଫାଟି ଆଁ କରିଛି, ଅସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇନାହିଁ । ଆଦିବାସୀ ଛାତ୍ରୀମାନେ ବାହାରେ ଘରଭଡା ନେଇ ଅଧିକ ଖର୍ଚାନ୍ତ ହେଉଛନ୍ତି । ତେଣୁ ତୁରନ୍ତ ଛାତ୍ରୀନିବାସକୁ ସଠିକ ଢଙ୍ଗରେ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ମୋହନା ବ୍ଲକ ହିଲଟପ ମହାବିଦ୍ୟାଳୟରେ ଯୁ୍କ୍ତ-୨ରେ ୬୯୭ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଯୁକ୍ତ୩ରେ ୪୧୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏଥିମଧ୍ୟରୁ ୪୫ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ଅଛନ୍ତି ।