ରାତି ସାରା ଧାରଣାରେ ପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ। ଜନଶୁଣାଣିର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ଉଠିଲା ଧାରଣା।

81

କନକ ବ୍ୟୁରୋ: ରାତି ସାରା ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆଦିବାସୀଙ୍କ ଧାରଣା । ବିସ୍ଥାପନକୁ ବିରୋଧ କରି ଦୀର୍ଘ ୬୫କିଲୋମିଟର ଚାଲିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ବହୁ ସଂଖ୍ୟାରେ ଆଦିବାସୀ । କହିଥିଲେ, ଜୀବନ ଦେବୁ ପଛେ ଜମି ଦେବୁ ନାହିଁ । ଜମି ଅଧିଗ୍ରହଣକୁ ବିରୋଧ କରି ପ୍ରତିବାଦ କରୁଥିବା ଆଦିବାସୀ ସାରା ରାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଆଲୋଚନା ପାଇଁ ଆଦିବାସୀଙ୍କ ଜଣେ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଡକାଇ ଥିଲେ । ହେଲେ, ଏଥିରେ ରାଜି ହୋଇନଥିଲେ ଆନ୍ଦୋଳନକାରୀ । ଜିଲ୍ଲାପାଳ ନିଜେ ରାଜରାସ୍ତା ଉପରକୁ ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ଅଡ଼ି ବସିଥିଲେ ।

୧୮ ତାରିଖରୁ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରି ଶହ ଶହ ଆଦିବାସୀ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ପାଖରେ ପହଞ୍ଚିଥିଲେ । ସେହିଠାରେ ସେମାନେ ରାତିରେ ଖୋଲା ଆକାଶ ତଳେ ପ୍ରତିବାଦ କରିଥିଲେ । ସୂଚନା ଅନୁସାରେ ରାଜଗାଙ୍ଗପୁର ବ୍ଲକର ଝଗରପୁର, କେଶରାମାଲ, ଅଲଣ୍ଡା, କୁକୁଡ଼ା ଓ କୁତ୍ରା ବ୍ଲକର ଖଟଙ୍ଗ ପଞ୍ଚାୟତରେ ୭୧୭ ଏକର ଜମି ଅଧିଗ୍ରହଣ କରିବ ଓସିଏଲ ।ଏଥିପାଇଁ ପ୍ର୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରିଆସୁଛନ୍ତି ଆଦିବାସୀ ।ଶେଷରେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ହୋଇଥିବା ଜଣଶୁଣାଣିକୁ ତର୍ଜମା କରାଯିବ ଓ ଏ ବିଷୟରେ ସଂପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ । ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରି ନେଇଛନ୍ତି ଆନ୍ଦୋଳନକାରୀ ।