କନକ ବ୍ୟୁରୋ : ବାଲିକୁଦା ତହସିଲ ଦେଇଥିବା ମହଲତ ସରିଲା । ରାଜନଗର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରଚାର । ଆସନ୍ତା ୧୮ ତାରିଖ ସୁଦ୍ଧା ବେଆଇନ ଚିଙ୍ଗୁଡି ଘେରି କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଜଙ୍ଗଲ ଜମି ଜବରଦଖଲ ଛାଡିବା ପାଇଁ ଚେତାବନୀ ଦେଇଛି ପ୍ରଶାସନ । ଏହା ପରେ ୧୮ ତାରିଖ ଅର୍ଥାତ କାଲିଠାରୁ ଉଚ୍ଛେଦ ଆରମ୍ଭ ହେବ । ଜଗତସିଂହପୁରରେ ହଜାର ହଜାର ଏକର ଚିଙ୍ଗୁଡି ଘେରି ବେଆଇନ ଭାବେ କରାଯାଇଛି । ଜଙ୍ଗଲ ଜମି, ଅନାବାଦି, ଗୋଚର ଜମିରେ ଘେରି ଖୋଳା ଯାଇଛି ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲିକୁଦା ଓ ଏରସମା ତହସିଲ ଅଧିନରେ ଜବରଦଖଲ ହୋଇଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା । ବାଲିକୁଦା ତହସିଲଦାର ଜବର ଦଖଲ କରି ବେଆଇନ ଚିଙ୍ଗୁଡି ଘେରି କରିଥିବା ୨୨୮ ଜଣଙ୍କୁ ନୋଟିସ ଦେଇଛନ୍ତି । ନୋଟିସ ପରେ ଗୋଟିଏ ମାସ ମହଲତ ଦିଆଯାଇଥିଲା , ଯାହା ଗତ ୧୫ ତାରିଖରେ ଶେଷ ହୋଇଛି । ଜିଲ୍ଲାପାଳଙ୍କ ଚିଠି ପରେ ରାଜନଗର ବନଖଣ୍ଡ ଅଧିକାରୀ ଉପକୂଳ ଜଙ୍ଗଲ ଜମିକୁ ମାପ କରିବା ସହ ବେଆଇନ ଘେରି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୫ ଦଶନ୍ଧି ପରେ ବେଆଇନ ଚିଙ୍ଗୁଡି ଘେରି ଭାଙ୍ଗିବାକୁ ଯାଉଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/Screen-Shot-2021-08-17-at-9.46.22-AM.png)